ସମୁଦ୍ରରେ ବଳ ଗୋଟାଇ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା “ସିତ୍ରାଙ୍ଗ” । ବର୍ତ୍ତମାନ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଲଘୁଚାପ ରୂପ ଧାରଣ କରିଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସହ ପରେ ଗଭୀର ଅବପାତରେ ପରିଣତ ହେବ । ତେବେ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଓଡିଶା ଉପକୂଳରୁ ଅଳ୍ପ ଦୂରରେ ରହି ପଶ୍ଚିମବଙ୍ଗ ମୁହାଁ ହେବ ।
ଆସନ୍ତା ୨୫ ତାରିଖରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁବ ବାତ୍ୟା । ବାତ୍ୟା ପ୍ରଭବରେ ଆସନ୍ତା ୨୩ ତାରିଖ ରାତିରୁ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ବର୍ଷା ଆରମ୍ଭ ହୋଇଯିବ । ଓଡିଶାର ମୁଖ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂପୁର, ଭଦ୍ରକ ଓ କେନ୍ଦ୍ରପଡାରେ ପ୍ରବଳ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୪ ତାରିଖରୁ ୨୫ ମଧ୍ୟରେ ଅର୍ଥାତ ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ଉପକୂଳରେ ବର୍ଷାର ପରିମାଣ ବଢିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବ ।
ତେଣୁ ୨୪ ତାରିଖରେ କଟକ, ଜଗତସିଂପୁର, କେନ୍ଦ୍ରପଡା, ଭଦ୍ରକ ଏବଂ ବାଲେଶ୍ଵର ଆଦି ୫ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୨୫ ତାରିଖରେ ଉତ୍ତର ଉପକୂଳର ତିନୋଟି ଜିଲ୍ଲା ଭଦ୍ରକ, ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ସହିତ ତଟବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ଘଣ୍ଟାପ୍ରତି ୭୦ କିମି ବେଗରେ ପବନ ମଧ୍ୟ ବୋହିବା ନେଇ ଆକଳନ କରାଯାଇଛି ।
ବାତ୍ୟାକୁ ନେଇ ଅନେକ ଆଶଙ୍କା ଲାଗି ରହିଥିବା ବେଳେ ଭାରତୀୟ ପାଣିପାଗ ବାତ୍ୟାର ଗତିପଥ ସ୍ପଷ୍ଟ କରିଛି । ଯଦ୍ୟପି ଓଡିଶାରେ ବାତ୍ୟା ସିତ୍ରାଙ୍ଗ ସିଧାସଳଖ ମାଡ ହେବ ନାହିଁ ତଥାପି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ବାତ୍ୟା ପ୍ରଭାବରେ ଏହିସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଆଶଙ୍କା କରାଯାଉଛି ।
ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ମଧ୍ୟରେ ରହିବା ନେଇ ସୂଚନା ଦ୍ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ବାତ୍ୟାକୁ ନେଇ ଆଗାମୀ ଅପଡେଟ ପାଇବା ପାଇଁ ଆମ ସହ ଲାଗି ରୁହନ୍ତୁ ଓ ଆମ ପେଜ୍ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।