ଦୁଇ ସାଙ୍ଗ ଏକାଠି ହୋଇ ଯାତ୍ରା ଦେଖି ବାହାରିଥିଲେ । କିନ୍ତୁ କିଏ ଜାଣିଥିଲା କି ସେମାନଙ୍କୁ ବାଟରେ ଜଗି ବସିଥିଲା ଯମ । ବାଟରେ ଯାଉଥିବା ବେଳେ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ସହ ଜଣେ ବୃଦ୍ଧଙ୍କ ଜୀବନ ଚାଲିଗଲା । ସମ୍ବଲପୁର ଜିଲ୍ଲାର ଏକ ଅଞ୍ଚଳରେ ଘଟିଯାଇଛି ଏହିଭଳି ଏକ ଦୁଃଖଦ ଘଟଣା । ସମ୍ବଲପୁର ଓ ବରଗଡ ୫୩ ନଂ ଜାତୀୟ ରାଜପଥ ପାଞ୍ଚଗୋଛା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣଙ୍କ ଜୀବନ ଚାଲିଯାଇଛି ।

ଗତକାଲି ସନ୍ଧ୍ୟାରେ ସମ୍ବଲପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ବାଇକରେ ଦୁଇଜଣ ଯୁବକ ଯାଉଥିବା ସମୟରେ ଜଣେ ବୃଦ୍ଧଙ୍କୁ ତାଙ୍କ ବାଇକଟି ଯାଇ ଧକ୍କା ଦେଇଥିଲା । ବୃଦ୍ଧଙ୍କୁ ଧକ୍କା ଦେବା ସହ ଏକ ଇଲେକ୍ଟ୍ରିକ ଖୁଣ୍ଟିରେ ଯାଇ ତାଙ୍କ ବାଇକଟି ଧକ୍କା ହୋଇ ଯାଇଥିଲା । ଫଳରେ ବାଇକରେ ଥିବା ଦୁଇ ସାଙ୍ଗଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । ଏହାସହ ସେମାନଙ୍କ ବାଇକ ଧକ୍କା ଦେଇଥିବା ବୃଦ୍ଧଜଣକ ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।
ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ନିଆ ଯାଉଥିବା ସମୟରେ ଉକ୍ତ ବୃଦ୍ଧଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ବୃଦ୍ଧଜଣକ ଜାତୀୟ ରାଜପଥ ପାରି ହେଉଥିବା ସମୟରେ ଅପରପକ୍ଷରୁ ଦ୍ରୁତଗତିରେ ଆସୁଥିବା ଦୁଇ ସାଙ୍ଗଙ୍କ ବାଇକଟି ନିୟନ୍ତ୍ରଣ ହରାଇ ବସିଥିଲା । ଯାହାଫଳରେ ବାଇକଟି ଯାଇ ବୃଦ୍ଧଙ୍କୁ ଜୋରରେ ଧକ୍କା ଦେବା ସହ ପାଖରେ ଥିବା ଏକ ଇଲେକ୍ଟ୍ରିକ ଖୁଣ୍ଟିରେ ଯାଇ ଅତ୍ୟନ୍ତ ଦ୍ରୁତଗତିରେ ଧକ୍କା ହୋଇ ଯାଇଥିଲା ।

ଏହି ଭୟଙ୍କର ସଡକ ଦୁର୍ଘଟଣାରେ ଦୁଇ ସାଙ୍ଗ ଓ ବୃଦ୍ଧ ତିନିଜଣ ପ୍ରାଣ ହରାଇଛନ୍ତି । ମୃତ ବୃଦ୍ଧଜଣକ ସମ୍ବଲପୁରର ବୋଲି ଜଣାପଡିଛି । ଅନ୍ୟପଟେ ଏକସାଥେ ପ୍ରାଣ ହରାଇଥିବା ଦୁଇ ସାଙ୍ଗ ହେଉଛନ୍ତି ହୀରାକୁଦ ଅଞ୍ଚଳ ଇନ୍ଦୋର କଲୋନୀର ସନ୍ତୋଷ ନାୟକ ଓ କଦମପଡାର ପିୟୁଷ ରାଉତ । ସାମାନ୍ଯ ଭୁଲ ଯୋଗୁଁ ତିନି ତିନୋଟି ଅମୂଲ୍ୟ ଜୀବନ ଝଡିପଡିଛି । ଘରର ଯୁବାପୁଅଙ୍କୁ ହରେଇ ସେମାନଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ଦୁଇ ପରିବାରର ଲୋକେ ଛାତି ପିଟି କାନ୍ଦୁଛନ୍ତି ।
ଖୁସିରେ ଯାତ୍ରା ଦେଖିବାକୁ ଯାଉଥିବା ଦୁଇ ସାଙ୍ଗ ଜାଣି ନଥିଲେ କି ଏଇଟା ତାଙ୍କ ଜୀବନର ଶେଷରାତି ବୋଲି । ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ ଏକ ପ୍ରକାରର ଶୋକର ଛାୟା ଘୋଟିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।