ମହିଳାମାନେ ପିରିୟଡସ୍ ବା ମାସିକ ଧର୍ମ ସମୟରେ ସଫାସୁତୁରା ରହିବା ନିହାତି ଆବଶ୍ୟକ । ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣର କାରଣ ପାଲଟିଥାଏ । ତେଣୁ ଏନେଇ ପ୍ରତ୍ଯେକ ମହିଳା ସଚେତନ ରହିବା ଆବଶ୍ୟକ, ନଚେତ ସ୍ୱାସ୍ଥ୍ୟଜନିତ ଅସୁବିଧାର ସମୁଖୀନ ହେବାକୁ ପଡିପାରେ । ତେବେ ଋତୁସ୍ରାବ ସମୟରେ ସଂକ୍ରମଣ ମୁକ୍ତ ରହିବା ପାଇଁ କିପରି ସଫାସୁତୁରା ବଜାୟ ରଖିବେ ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କ ଠାରୁ କିଛି ଖାସ୍ ଟିପ୍ସ ।

ଋତୁସ୍ରାବ ସମୟରେ ମହିଳାମାନେ ପରିଷ୍କାର ପରିଚ୍ଛନ୍ନ ରହିବା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ହୋଇଥାଏ । କାରଣ ଏହି ସମୟରେ କୌଣସି ସଂକ୍ରମଣର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ । ଆମ ଶରୀରର ମୃତ କୋଷିକା ଓ ଅଦରକାରୀ ରକ୍ତ ସବୁ ଏହି ସମୟରେ ବାହାରକୁ ବାହାରିଥାଏ ।
ଯାହାକି ସଂକ୍ରମଣ ବଢାଇବା ପାଇଁ ଏକ ପରିବେଶ ତିଆରି କରିଥାଏ । ସେଥିପାଇଁ ଏହି ସମୟରେ ହେଳା ନକରି ସଫା ରହିବା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇପଡେ । ବର୍ତ୍ତମାନ ପିରିୟଡସ୍ ସମୟରେ ମହିଳା ମାନଙ୍କୁ ସଫା ରହିବା ନେଇ ସଚେତନ କରିବା ଦିଗରେ ଅନେକ ଫିଲ୍ମ ମଧ୍ୟ ତିଆରି ହେଲାଣି ।

ଗାଁ ଗହଳିରେ ଆଜିବି ମହିଳାମାନେ ଅନେକ ସ୍ଥାନରେ ଗୋଟିଏ କପଡାକୁ ବାରମ୍ବାର ବ୍ୟବହାର କରିଥାନ୍ତି । ତେଣୁ ସାନିଟାରୀ ପ୍ୟାଡ ବ୍ୟବହାର ଦିଗରେ ମହିଳାଙ୍କୁ ବୁଝାଯାଉଛି । ସାନିଟାରୀ ପ୍ୟାଡ ବ୍ୟବହାର ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ତ୍ରୀଲୋକ ମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ।
ଫଳରେ ଆଜିକାଲି ଅନେକ ଗାଁ ଗହଳି ଓ ଗରିବ ପରିବାରରେ ମଧ୍ୟ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି ଓ ଏହାର ଗୁରୁତ୍ଵକୁ ମଧ୍ୟ ବୁଝି ପାରୁଛନ୍ତି । ଯେତେବେଳେ କୌଣସି ନାବାଳିକାଙ୍କର ପ୍ରଥମ କରି ଋତୁସ୍ରାବ ଆରମ୍ଭ ହୁଏ ଅନେକ ସ୍ଥାନରେ ପିଲାଙ୍କୁ ଏକାକୀ ଗୋଟିଏ ଘରେ ରଖିଦିଅନ୍ତି ।

କିନ୍ତୁ ଏପରି ନକରି ଏହି ସମୟରେ ତାଙ୍କୁ ପିରିୟଡସ୍ ବିଷୟରେ ବୁଝାଇବା ସହ ସଫାସୁତୁରା ରହିବା ପାଇଁ ମା ଭଉଣୀମାନେ ବୁଝାଇଦେବା ଉଚିତ । ଏହି ସମୟରେ ପିଲାଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ ଓ ଅନେକ ପୁଇଲା ଡରିଯାନ୍ତି ମଧ୍ୟ ତେଣୁ ସେମାନଙ୍କ ଯତ୍ନ ନେବା ସହ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ ହୋଇଥାଏ ।
ସଂକ୍ରମଣରୁ ବଞ୍ଚିବା ପାଇଁ କୌଣସି ପୁରୁଣା କପଡା କିମ୍ବା ଗୋଟିଏ କପଡାକୁ ବାରମ୍ବାର ଧୋଇ ବ୍ୟବହାର କରିବା ଉଚିତ ନୁହେଁ । ସାନିଟାରୀ ପ୍ୟାଡ ବ୍ୟବହାର କରିବା ସହ ଅତିବେଶୀରେ ୬ ଘଣ୍ଟା ବ୍ଯବଧାନରେ ପ୍ୟାଡ ମଧ୍ୟ ଚେଞ୍ଜ କରିବା ଜରୁରୀ । ସେହିପରି ଘରର ପାଇଖାନା ସଫା ରଖିବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।