ଦାରୁ ଦିଅଁଙ୍କ ଶ୍ରୀଅଙ୍ଗରେ ବ୍ରହ୍ମଙ୍କ ଉପସ୍ଥିତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜୀବନ୍ତର ମାନ୍ୟତା ଦେଇଛି । କିନ୍ତୁ ଏହି ବ୍ରହ୍ମ କଣ ଓ ଅବସ୍ଥିତି କିପରି ହେଲା ତାହା ଅନେକଙ୍କ ମନକୁ ଆନ୍ଦୋଳିତ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ବ୍ରହ୍ମର ସୃଷ୍ଟି ବିଷୟରେ କହିବୁ । ପ୍ରତି ମଣିଷଙ୍କ ଶରୀରରେ ଯେପରି ଆତ୍ମା ରହିଛି ସେପରି ମହାପ୍ରଭୁଙ୍କ ଶରୀରରେ ବ୍ରହ୍ମା ବା ପରାତ୍ମା ରହିଛନ୍ତି । ସେଥିପାଇଁ ମହାପ୍ରଭୁଙ୍କୁ କଳିଯୁଗର ଜୀବନ୍ତ ଠାକୁର ବୋଲି କୁହାଯାଏ, ଯିଏ ଭକ୍ତର ଡାକ ଶୁଣନ୍ତି ।

ସାଧାରଣ ଲୋକଙ୍କ ଠାରୁ ନେଇ ମହାଜ୍ଞାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ରହ୍ମର ସତ୍ତା ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି । ପୂର୍ବରୁ ବିଭିନ୍ନ ସାଧୁସନ୍ଥ ଏହାକୁ ଭିନ୍ନ ଭିନ୍ନ ରୂପ ଦେଇଛନ୍ତି । କେହି ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କ ନାଭି କହୁଥିବା ବେଳେ ଆଉ କେହି ଏହାକୁ ଶ୍ରୀକୃଷ୍ଣଙ୍କ ହୃଦୟ ବୋଲି କୁହନ୍ତି । ଶ୍ରୀକୃଷ୍ଣଙ୍କ ମୃତ୍ୟୁ ପରେ ପାଣ୍ଡବମାନେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ସେହି ସମୟରେ ତାଙ୍କ ନାଭି ଜଳି ନଥିଲା । ଏହା ଦେଖି ପାଣ୍ଡବମାନେ ତାଙ୍କ ନାଭିକୁ ସମୁଦ୍ରରେ ଭସାଇ ଦେଇଥିଲେ ।
ଯାହା ଆସି ପୁରୀ ସମୁଦ୍ର କୁଳରେ ଲାଗିବା ପରେ ଏହାକୁ ନେଇ ଇନ୍ଦ୍ରଦ୍ଯୁମ୍ନ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି ସେଥିରେ ସେହି ନାଭିକୁ ସ୍ଥାପନ କଲେ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ବିଶେଷଜ୍ଞ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି ବ୍ରହ୍ମ ପଦାର୍ଥ ଜୀବନ୍ତ ଶାଳଗ୍ରାମ ଏକଥା ପ୍ରମାଣିତ । 660 ଖ୍ରୀଷ୍ଟାବ୍ଦ ପରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ହୋଇଥିଲା । ବିଧର୍ମୀଙ୍କ ଆକ୍ରମଣରୁ ମହାପ୍ରଭୁଙ୍କୁ ସୁରକ୍ଷିତ ରଖିବା ପାଇଁ ସେବକମାନେ ତାଙ୍କୁ ଶ୍ରୀମନ୍ଦିରରୁ ନେଇ ଯାଇଥିଲେ ।

ଯାହାପରେ ସୋନପୁରରେ ୪୯ ବର୍ଷ ଧରି ତାଙ୍କର ପୂଜା କରା ଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ବିଧର୍ମୀଙ୍କ ଭୟ ରହିବାରୁ ଚତୁର୍ଥାମୂର୍ତ୍ତିଙ୍କୁ ମାଟିତଳେ ପାତାଳୀ କରାଗଲା । ୧୪୪ ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ମାଟିତଳେ ପାତାଳୀ ହୋଇ ରହିଥିଲେ । ୮୧୫-୮୧୭ ଆଦିଶଙ୍କର ଶତାବ୍ଦୀ ବେଳକୁ ଗୋବିନ୍ଦ ଦ୍ଵାଦଶୀ ବୁଡ ପକାଇବାକୁ ଆସିଥିଲେ । ସେ ସମୟରେ ଯଯାତିକେଶରୀ ମଧ୍ୟ ଶ୍ରୀକ୍ଷେତ୍ରକୁ ବୁଡ ପକାଇବାକୁ ଆସିଥିଲେ । ଉଭୟ ବୁଡ ପକାଇବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ, କିନ୍ତୁ ମହାପ୍ରଭୁ ନଥିଲେ ।
ସେଠାରେ ଉଭୟଙ୍କ ଭେଟ ହୋଇଥିଲା । ମହାପ୍ରଭୁଙ୍କ ଭେଟ ନପାଇ ସେମାନେ ସେବକଙ୍କୁ ଏକଥା ପଚାରିଥିଲେ । ମଦାଳି ପାଞ୍ଜି ଅନୁଯାୟୀ ବିଧର୍ମୀଙ୍କ ଭୟରେ ଦିଅଁଙ୍କୁ ସୋନପୁରକୁ ନିଆଯାଇଛି ବୋଲି ସେବକ କହିଥିଲେ । ମହାପ୍ରଭୁଙ୍କୁ ଫେରାଇ ଆଣିବାକୁ ରାଜା ଯଯାତିକେଶରୀ ଓ ଆଦିଶଙ୍କର ସୋନପୁର ଯାତ୍ରା କଲେ । ସେଠାରେ ମଧ୍ୟ ସେମାନେ ଦିଅଁଙ୍କୁ ପାଇ ନଥିଲେ ।

ଏକ ବରଗଛ ମୂଳେ ଜଣେ ବୃଦ୍ଧା ପାଣି ଦେଉଥିବା ଦେଖି ତାଙ୍କୁ ଏହାର କାରଣ ପଚାରିଲେ ଆଦିଶଙ୍କର । ବୃଦ୍ଧ କହିଲେ ଆମ ପୂର୍ବପୁରୁଷ କହି ଯାଇଛନ୍ତି ଏହା ଦିଅଁବର ତେଣୁ ଏଠି ପ୍ରତିଦିନ ପାଣି ଦେଉଛୁ । ଆଦିଶଙ୍କର ସେଠାରେ ସାଧନାରେ ବସି ଦିବ୍ୟଦୃଷ୍ଟି ଦ୍ଵାରା ଜାଣିବାକୁ ପାଇଲେ ଯେ ମହାପ୍ରଭୁ ସେଠାରେ ବିଜେ କରିଛନ୍ତି । ମାଟିତଳେ ଦିଅଁଙ୍କୁ ଠାବ କରାଗଲା । କିନ୍ତୁ ୧୪୪ ବର୍ଷ ଧରି ମାଟିତଳେ ଥିବାରୁ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଜୀର୍ଣ୍ଣ ହୋଇ ଯାଇଥିଲା ।
ସେଠାରୁ ବ୍ରହ୍ମକୁ ଉଦ୍ଧାର କରି ପୁରୀରୁ ୧୧ ଜଣ ଦଇତାଙ୍କୁ ଡକାଇଲେ ଓ ବ୍ରହ୍ମକୁ ନେଇ ଯାଜପୁର ଆସିଲେ । ଦୁଇ ବ୍ରହ୍ମ ଜୀର୍ଣ୍ଣ ହୋଇଥିବା ଦେଖି ଆଦିଶଙ୍କର ରଜ ଯଯାତିକେଶରୀଙ୍କୁ କହି ନେପାଳ ରାଜାଙ୍କୁ ସନ୍ଦେଶ ପଠାଇଲେ ଓ ଗୁଣ୍ଡିକି ନଦୀର ଜୀବନ୍ତ ଶାଳଗ୍ରାମ ଦେବାକୁ କହିଲେ । ସେହି ଶାଳଗ୍ରାମକୁ ଆଣି ବ୍ରହ୍ମ ଭାବେ ଶ୍ରୀଅଙ୍ଗରେ ସ୍ଥାପନ କରାଗଲା । ତେଣୁ ବ୍ରହ୍ମ ଜୀବନ୍ତ ଶାଳଗ୍ରାମ ବୋଲି ଏକପ୍ରକାର ପ୍ରମାଣିତ ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।