ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସବୁ ଆଶା ମଉଳି ଗଲା । ଶନିବାର ଇସ୍ତଫା ଦେବା ପରଠୁ ନଖାଇ ନପିଇ ବସିବା ସହ ମୁଖିଆଙ୍କ ସନ୍ତୁଷ୍ଟି ପାଇଁ ଗୁଣ୍ଡୁଚିମୂଷା ଭଳି କାମ କରିଛି ବୋଲି ସେ କହିଥିଲେ । ସେ ଆଶା ରଖିଥିଲେ କି ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଭାବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ ଏଥର କ୍ଯାବିନେଟ ପାହ୍ୟାକୁ ପ୍ରମୋଶନ ଦେବେ । କିନ୍ତୁ ସକାଳ ହେଉ ହେଉ ସବୁ ସ୍ଵପ୍ନ ମଉଳି ଗଲା ଓ ଆଶା ରହିଗଲା ଆଶା ହୋଇ ।
ନୂଆ ଥାଳିରେ ସତେ ଯେମିତି ପୁରୁଣା ଅନ୍ନ ପରଶି ଦେଲେ ମୁଖିଆ, ଆଉ ମୁଖିଆଙ୍କ ନିଷ୍ପତ୍ତିକୁ ମୁଣ୍ଡ ନୁଆଁଇ ସ୍ଵୀକାର କଲେ ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୨୦୦୯ରୁ ବିଜେଡି ଟିକେଟରେ ବିଧାୟକ ପଦ ପାଇଁ ଠିଆ ହେଉଥିବା ସମୀର ବହୁ ପ୍ରତୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ୨୦୧୯ରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ତାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱଭାର ମିଳିଥିଲା ।
ସେବେ ଠାରୁ ମୁଖିଆଙ୍କ ଦୃଷ୍ଟିରେ ଜଣେ ଉତ୍ତମ ଓ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ ସମୀର କାମ କରି ଆସୁଛନ୍ତି । ଶିକ୍ଷା କ୍ଷେତ୍ରର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଚେଷ୍ଟା କରି ଆସୁଛନ୍ତି ସମୀର । ଗତ ଦୁଇ ବର୍ଷ ହେବ କୋଭିଡ ସମୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ କଣ ନିଷ୍ପତ୍ତି ନିଆଯିବ ଓ କିପରି ସେମାନଙ୍କ ପାଠପଢା ଜାରି କରାଯିବ ସେନେଇ ସମସ୍ତ ନିଷ୍ପତ୍ତି ନିଜେ ନେଇ ଆସୁଛନ୍ତି ସମୀର ।
ମନ୍ତ୍ରୀ ହେବା ପରେ ବି ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ କ୍ଯାବିନେଟ ପାହ୍ୟାକୁ ଯିବାର ସ୍ଵପ୍ନ ଦେଖିଥିଲେ ସମୀର । ଆଉ ଏଥର ଇସ୍ତଫା ଦେବା ପରେ ମନ ଭିତରେ କେଉଁଠି ନା କେଉଁଠି କ୍ଯାବିନେଟ ପାହ୍ୟାରେ ସ୍ଥାନ ମିଳିବା ନେଇ ଆଶା ସେ ରଖିଥିଲେ । ଏନେଇ ମିଡିଆରେ ବେଶ ଚର୍ଚ୍ଚା ମଧ୍ୟ ହେଲା, କିନ୍ତୁ ଫଳାଫଳ ଆସିବା ବେଳକୁ ସବୁ ଫସର ଫାଟିଗଲା ।
ଶେଷରେ ପୂର୍ବରୁ ମିଳିଥିବା ଦାୟିତ୍ଵକୁ ସମୀରଙ୍କୁ ପୁଣି ଥରେ ଧରାଇ ଦିଆଗଲା । ଯାହାପରେ ସେ ନିଜ ମନକୁ ମାରି ମିଳିଥିବା ଦାୟିତ୍ଵକୁ ମୁଣ୍ଡପାତି ସ୍ବୀକୃତି ଜଣାଇଲେ । ଆମେ ଆଶା କରୁଛୁ ଏହି ଦାୟିତ୍ଵକୁ ପୁଣି ଥରେ ନିଷ୍ଠାର ସହ ତୁଲାଇବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।