କିନ୍ନର ମାନଙ୍କ ପାଇଁ ଖୁସି ଖବର ! ପାରିବାରିକ ଅଧିକାର ଉପରେ ରାଜ୍ୟ ସରକାର ଜାରି କଲେ ଏକ ଡ୍ରାଫ୍ଟ ପଲିସି, ଦେଖନ୍ତୁ ଏହି ନୂଆ ପଲିସିରେ କ’ଣ ରହିଛି ନିୟମ !

ଦିନେ ଯେଉଁ ପିଲାକୁ ଜନ୍ମ ଦେବା ପରେ ବାପା-ମା ଖୁସିରେ ଫାଟି ପଡୁଥିଲେ କିଛିଦିନ ପରେ ସେହି ପିଲାକୁ ନେଇ ଦ୍ଵନ୍ଦରେ ପଡି ଯାଉଥିଲେ ବାପା-ମା । ତୃତୀୟଲିଙ୍ଗୀ ବୋଲି ଜାଣିବା ପରେ ଅବହେଳା କରୁଥିଲେ ପରିବାର । ଆଉ ତା’ପରେ ସେହି ପିଲା ପାଇଁ ବଦଳି ଯାଉଥିଲା ଜୀବନର ମୋଡ । ବଞ୍ଚିବା ପାଇଁ ଆରମ୍ଭ ହୋଇ ଯାଉଥିଲା ସଂଘର୍ଷ । ହେଲେ ଏବେ ଆଉ ଅବହେଳିତ ହେବେନି କିନ୍ନର । ତୃତୀୟଲିଙ୍ଗୀଙ୍କୁ ଆଉ ତଡି ପାରିବନି ପରିବାର । ଅନ୍ୟମାନଙ୍କ ଭଳି ଏମାନେ ବି ଘରେ ରହିବେ ।

ପିଲା ଜନ୍ମ ପରେ ଯଦି ଚାଲିଚଳନ ଓ ହାବଭାବ କିନ୍ନରଙ୍କ ପରି ହୁଏ ତେବେ ଲୋକ ଲଜ୍ଜାରେ ସେମାନଙ୍କୁ ଘରୁ ବାହାରି କରି ପାରିବେନି ବାପା ମା । କାରଣ ଅନ୍ୟମାନଙ୍କ ପରି ସେମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି । ଘରେ ଏକାଠି ରହିବାର ଓ ସାଙ୍ଗ ହୋଇ ଜିଇଁବାର ସେମାନଙ୍କର ମଧ୍ୟ ହକ୍ ରହିଛି । ଯଦି ଏଥିରେ କିଛି ବ୍ୟତିକ୍ରମ ହୁଏ ତେବେ ଆଇନର କାଠଗଡାକୁ ଆସିବେ ପରିବାର ଲୋକେ । କାରଣ ତୃତୀୟଲିଙ୍ଗୀଙ୍କ ପାରିବାରିକ ଓ ସାମାଜିକ ଜୀବନଗତ ଅଧିକାରକୁ ନେଇ ଏକ ଖସଡା ପ୍ରସ୍ତୁତ କରିଛନ୍ତି ସରକାର ।

କିନ୍ନର ମାନେ ଯେମିତି ସାମାଜିକ ଜୀବନରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ସମ୍ମାନର ସହ ଜୀବନଯାପନ କରିପାରିବେ ତାହା ତ ସ୍ଥିର ହୋଇଛି । କିନ୍ତୁ ଏହି ଟ୍ରାନ୍ସଜେଣ୍ଡର ଡ୍ରାଫ୍ଟ ପଲିଶିରେ ‘ରାଇଟ ଟୁ ଫ୍ୟାମିଲି ଲାଇଫ’ ଉପରେ ଅଧିକ ଫୋକସ ଦିଆଯାଇଛି । ଏଥିରେ କିନ୍ନର ମାନଙ୍କ ପାଇଁ ପାରିବାରିକ ଅଧିକାରକୁ ଅଧକ ଗୁରୁତ୍ଵ ଦିଆଯାଇଛି । ଯଦି ଜନ୍ମ ପରେ ପିଲାଟି ତୃତୀୟଲିଙ୍ଗୀ ହୋଇଥାଏ ତେବେ କୋର୍ଟଙ୍କ ଅନୁମତି ବିନା ପିଲାଙ୍କୁ ଅଲଗା କରି ପାରିବେନି ବାପାମାଆ ।

ଯେଉଁଠି ନିଜ ବାପାମାଆ କିମ୍ବା ପରିବାର ଲୋକେ ବାସ କରୁଛନ୍ତି ସେଠାରେ ପ୍ରତ୍ଯେକ କିନ୍ନରଙ୍କର ରହିବାର ଅଧିକାର ଅଛି । ପ୍ରତ୍ଯେକ ତୃତୀୟଲିଙ୍ଗୀ ଅନ୍ୟମାନଙ୍କ ପରି ଭେଦଭାବ ବିନା ଘରର ସବୁ ସୁବିଧା ପାଇପାରିବେ ଓ ସବୁଥିରେ ସାମିଲ ହୋଇପାରିବେ । କିନ୍ନରଙ୍କ ପାରିବାରିକ ସମସ୍ଯାର ସମାଧାନ ପାଇଁ ଏମିତି ଏକ ସୁନ୍ଦର ପ୍ରସ୍ତାବ ଆଣିଛନ୍ତି ଓଡିଶା ସରକାର । ୨୦୧୧ର ଜନଗଣନା ଅନୁସାରେ ଓଡିଶାରେ ୨୦,୩୩୨ ଜଣ କିନ୍ନର ଥିବା ବେଳେ ସେମାନଙ୍କ ପାଇଁ ଆସିଛି ଏହି ଡ୍ରାଫ୍ଟ ପଲିଶି ।

ଆଉ ଏହା ପ୍ରକାଶିତ ହେବା ପରେ ସେମାନେ ଓଡିଶା ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଏହିଭଳି ଏକ ପଦକ୍ଷେପ ଉପରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।