ଆଜିକାଲି ଦେଶରୁ ଶହେ ଶହେ କୋଟି ଟଙ୍କାର ଋଣ ନେଇ ଫେରାର ହୋଇ ଯାଉଛନ୍ତି ବ୍ୟବସାୟୀ । ସାମାନ୍ଯ କେଇଟା ଟଙ୍କା ପାଇଁ ଭାଇ ଭଗାରି ସାଜିବାକୁ ପଛାଉ ନାହିଁ । ଏପରି ସ୍ଥଳେ ମାତ୍ର ୨୮ ଟଙ୍କାର ଉଧାର ଫେରାଇବାକୁ ଜଣେ ବ୍ୟକ୍ତି ଆମେରିକାରୁ ଭାରତ ଆସିବା, ତାହା ପୁଣି ୬୮ ବର୍ଷ ପରେ ଏଭଳି କଥା ହଠାତ ବିଶ୍ବାସ କରିବା କଷ୍ଟକର ହୋଇପଡେ । ଅବିଶ୍ଵାସ୍ୟ ମନେ ହେଉଥିଲେ ବି ଏହି କଥାଟି ସତ । ଜାତୀୟ ଗଣମାଧ୍ୟମରେ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।

ଆମେରିକାରେ ନିଜ ପୁଅ ପାଖରେ ରହୁଥିବା ଜଣେ ବ୍ୟକ୍ତି ୬୮ ବର୍ଷ ତଳେ ଜଣେ ବ୍ୟବସାୟୀଙ୍କ ଠାରୁ ନେଇଥିବା ୨୮ ଟଙ୍କାର ଉଧାରକୁ ଭୁଲି ନଥିଲେ । ବର୍ତ୍ତମାନ ୮୫ ବର୍ଷ ହୋଇ ଯାଇଥିବା ସେହି ବ୍ୟକ୍ତି ଦୀର୍ଘ ୬୮ ବର୍ଷ ପରେ ସେହି ଟଙ୍କା ଫେରାଇବା ପାଇଁ ସୁଦୂର ଆମେରିକାରୁ ଭାରତର ହରିୟାଣା ଚାଲି ଆସିଛନ୍ତି । ସେ ଉଦ୍ଧାର କରିଥିବା ୨୮ ଟଙ୍କା ବଦଳରେ ଉଧାର ଦେଇଥିବା ବ୍ୟବସାୟୀଙ୍କ ଉତ୍ତରାଧିକାରୀଙ୍କୁ ୧୦ ହଜାର ଟଙ୍କା ଫେରସ୍ତ କରିଛନ୍ତି ।
ହରିୟାଣାର ପ୍ରଥମ ନୌସେନା ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ନୌସେନା କମାଣ୍ଡର ବି.ଏସ. ଉପ୍ପଲ ଅବସର ପରେ ଆମେରିକା ନିଜ ପୁଅ ପାଖକୁ ଚାଲି ଯାଇଥିଲେ । ଏବେ ସେ ହରିୟାଣା ହିସାର ଜିଲ୍ଲାର ମୋତି ବଜାରସ୍ଥିତ ‘ଦିଲ୍ଲୀବାଲା ମିଠା’ ଦୋକାନରେ ହଠାତ ପହଞ୍ଚି ଦୋକାନୀଙ୍କୁ କହିଥିଲେ କି, “ମୁଁ ତୁମ ଜେଜେ ଶମ୍ଭୁ ଦୟାଲ ବଂଶଲଙ୍କ ଠାରୁ ୧୯୫୪ ମସିହାରେ ୨୮ ଟଙ୍କା ବାକି ନେଇଥିଲି, ତାହା ମୁଁ ଏବେ ଫେରାଇବି । ମୋତେ ଅଚାନକ ଏହି ସହର ଛାଡି ନୌସେନାରେ ଯୋଗ ଦେବାକୁ ପଡିଥିଲା ।

ଏହି କାରଣରୁ ମୁଁ ଜେଜେଙ୍କ ଉଧାର ୨୮ ଟଙ୍କା ଫେରାଇ ପାରି ନଥିଲି ।” ଉପ୍ପଲ ଦୋକାନୀଙ୍କୁ କହିଥିଲେ ତାଙ୍କ ଦୋକାନରେ ସେ ଆସି ଦହିଲସି ପିଉଥିଲେ, କିନ୍ତୁ କୌଣସି କାରଣରୁ ଥରେ ସେ ତାଙ୍କ ଜେଜେଙ୍କୁ ୨୮ ଟଙ୍କା ଦେଇପାରି ନଥିଲେ । ନୌସେନାରେ ଚାକିରି କରିବା ପରେ ହିସାର ଆସିବାକୁ ତାଙ୍କୁ ସୁଯୋଗ ମିଳି ନଥିଲା ଓ ଅବସର ପରେ ସେ ତାଙ୍କ ପୁଅ ପାଖକୁ ଆମେରିକା ପଳାଇଥିଲେ ।
କିନ୍ତୁ ସେଠାରେ ଦୁଇଟି କଥା ତାଙ୍କୁ ଭରତ ଆସିବାକୁ ସବୁବେଳେ ଉତ୍ସାହିତ କରୁଥିଲା । ପ୍ରଥମଟି ହେଉଛି ତାଙ୍କ ଜେଜେଙ୍କ ୨୮ଟଙ୍କା ଫେରାଇବେ ଓ ଅନ୍ଯଟି ହେଉଛି ସେ ପଢୁଥିବା ସ୍କୁଲକୁ ଥରେ ଦେଖିବେ । ଏହାପରେ କମାଣ୍ଡର ବି.ଏସ. ଉପ୍ପଲ ଦୋକାନୀ ବିନୟ ବଂଶଲଙ୍କ ହାତରେ ୨୮ ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେଇଥିଲେ ।
ହେଲେ ଏହାକୁ ଗ୍ରହଣ କରିବାକୁ ବିନୟ ପ୍ରଥମେ ରାଜି ହୋଇ ନଥିଲେ ବିନୟ କିନ୍ତୁ ପରେ ସେ ତାଙ୍କୁ ବାଧ୍ୟ କରି ତାଙ୍କ ହାତରେ ସେହି ଟଙ୍କା ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।