ଗାଡି ଧୋଇବା ପାଇଁ ସର୍ଭିସିଂ ସେଣ୍ଟର ଯାଇ ଆଉ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଭୁବନେଶ୍ବର ଗଲେ ବିନା ଖର୍ଚ୍ଚରେ ହୋଇଯିବ ଗାଡି ସର୍ଭିସିଂ । କେବଳ ଏଥିପାଇଁ ଭୁବନେଶ୍ବର ରାସ୍ତାରେ ଗାଡି ଚଳାଇବାକୁ ହେବ । ଗାଡି ବି ଧୋଇ ହୋଇଯିବ ଆଉ ଆପଣଙ୍କ ଟଙ୍କା ବି ବଞ୍ଚିଯିବ । ଭୁବନେଶ୍ବରକୁ କିଏ ଓ କାହିଁକି ସ୍ମାର୍ଟ ସିଟିର ଟ୍ୟାଗ ଦେଲା ? ବୋଧହୁଏ ରାଜରାସ୍ତାରେ ନଦୀ ଓ ସୁଇମିଂ ପୁଲ୍ ର ବ୍ୟବସ୍ଥା ଯୋଗୁଁ ଭୁବନେଶ୍ବରକୁ ସ୍ମାର୍ଟ ସିଟି ବୋଲି କୁହାଯାଉଛି ।

ରାଜଧାନୀରେ ପାଣିର କୌଣସି ଅଭାବ ନାହିଁ, ଆଉ ଏଇଠି ଗରିବ ଲୋକଙ୍କ ପାଇଁ ବି ସୁଇମିଂ ପୁଲ୍ ବ୍ୟବସ୍ଥା ରହିଛି । ଯାହା ଜଣାପଡୁଛି ବର୍ଷା ହେଲେ ବିଏମସି ଅଧିକାରୀ, ମେୟର ଏବଂ ଭୁବନେଶ୍ବରର ବିଧାୟକମାନେ ଘରୁ ବାହାରନ୍ତି ନାହିଁ । ନଚେତ ରାଜଧାନୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳନ୍ତାନି । ଅସରାଏ ବର୍ଷାରେ ରାଜଧାନୀର ରାଜରାସ୍ତା କିପରି ନଦୀ ପାଲଟି ଯାଏ ତାହା ସେମାନେ ବୋଧେ ଜାଣି ନାହାନ୍ତି ।
ନଚେତ ରାଜଧାନୀ ଏଭଳି ଅପବ୍ୟବସ୍ଥା ସୁଧୁରି ସାରନ୍ତାଣି । ସ୍ମାର୍ଟ ବୋଲି କୁହା ଯାଉଥିବା ଏହି ଭୁବନେଶ୍ବର ସହର ଯେ ବର୍ଷା ହେଲେ ଗନ୍ଧ ଛାଡେ ଯିଏ ଏଠି ରହୁଛି ତାକୁ ହିଁ କେବଳ ଜଣା । ୨୨ ବର୍ଷର ସରକାର ଥିବା ମଧ୍ୟରେ ଏବେବି ରାଜଧାନୀର ଡ୍ରେନେଜ ବ୍ୟବସ୍ଥା ସଜାଡି ହୋଇ ପାରିନାହିଁ ।
ଥରେ ଚିନ୍ତା କରନ୍ତୁ, ଯେଉଁଠୁ ସାରା ରାଜ୍ୟକୁ ଶାସନ କରାଯାଉଛି ସେହି ସହରର ଅବସ୍ଥା ଯଦି ଏମିତି ତେବେ ଗ୍ରାମାଞ୍ଚଳ ଗୁଡିକର ଅବସ୍ଥା କଣ ନ ହୋଇଥିବ । ଭୁବନେଶ୍ବର ପାଣିରେ ଉବୁଟୁବୁ ହେଉଥିବା ବେଳେ ବିଏମସି କେବଳ ସମୀକ୍ଷା କରିଦେଇ ଚୁପ୍ ହୋଇ ବସି ପଡୁଛି । ପୂର୍ବତନ ମେୟର କେବଳ ସମୀକ୍ଷା କରି କରି ପ୍ରତିଶ୍ରୁତି ଦେଇ ଦେଇ ଚାଲିଗଲେ । ଆଉ ବର୍ତ୍ତମାନର ମେୟର ମଧ୍ୟ ସେହି ସମାନ ପନ୍ଥା ଆପଣେଇଛନ୍ତି ।

ପଚାରିଲେ କହୁଛନ୍ତି କି କମ କରେଇବା ପାଇଁ ଅନୁମତି ଦରକାର । ଆଉ ମେୟର ମହୋଦୟା ସେହି ଅନୁମତି ଅପେକ୍ଷାରେ ରହିଛନ୍ତି । ତେବେ ଦେଖାଯାଉ କେବେ ସୁଧୁରୁଛି ରାଜଧାନୀର ଡ୍ରେନେଜ ବ୍ୟବସ୍ଥା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।