ପୁରୁଣା ପେନସନକୁ ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ନିର୍ଦ୍ଦେଶ । ବର୍ତ୍ତମାନ ପୁରୁଣା ପେନସନ ଯୋଜନା ଦେଶ ରାଜନୀତିରେ ଏକ ପ୍ରମୁଖ ମୁଦ୍ଦା ସାଜିଛି । ଏହାକୁ ନିର୍ବାଚନ ମୁଦ୍ଦା କରି ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି କିଛି ଅଣବିଜେପି ସରକାର । ଛତିଶଗଡ, ପଞ୍ଜାବ ଓ ରାଜସ୍ଥାନ ସରକାର ନିଜ ରାଜ୍ୟରେ ଲାଗୁ କରିଛନ୍ତି ପୁରୁଣା ପେନସନ ଯୋଜନା । ଆଉ ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏନେଇ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି ।
ଏହି ନିର୍ଦ୍ଦେଶ ଅନୁଯାୟୀ 2004 ପରେ କେହି ନିଯୁକ୍ତି ପାଇଥିଲେ ମଧ୍ୟ ପୁରୁଣା ପେନସନ ର ବିକଳ୍ପ ରହିଛି । 2003 ପୂର୍ବରୁ ଅଧିସୂଚିତ ଓ ବିଜ୍ଞାପିତ ପଦରେ ନିଯୁକ୍ତି ହୋଇଥିଲେ ମିଳିବ ସୁଯୋଗ । 31 ଅଗଷ୍ଟ ସୁଦ୍ଧା ବିକଳ୍ପ ଚୟନ ନକଲେ ଏନପିଏସ ଲାଗୁ ହେବ । 1972 କେନ୍ଦ୍ରୀୟ ସିଭିଲ ସେବା ପେନସନ ଆଧାରରେ ସରକାରଙ୍କ ଏହି ବିଜ୍ଞପ୍ତି ଜାରି ହୋଇଛି । ଏହା ସହିତ ସମ୍ବୋଧିତ ସରକାରୀ କର୍ମଚାରୀ ମାନେ 31 ଅଗଷ୍ଟ 2023 ସୁଦ୍ଧା ଏହି ବିକଳ୍ପକୁ ଉପଯୋଗରେ ଆଣିପାରିବେ ।
ସରକାରଙ୍କ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି, ଯୋଗ୍ୟ କର୍ମଚାରୀ ମାନେ ଯଦି ନିର୍ଦ୍ଧାରିତ ତାରିଖ ସୁଦ୍ଧା ପୁରୁଣା ପେନସନ ଯୋଜନା ଚୟନ ନ କରିବେ ତେବେ ସେମାନଙ୍କୁ ରାଷ୍ଟ୍ରୀୟ ପେନସନ ଯୋଜନା କ୍ରମରେ ପେନସନ କଭର ଦିଆଯିବ । ଏହି ଦୁଇଟି ପେନସନ ଯୋଜନାରୁ କର୍ମଚାରୀ ଯେଉଁ ପେନସନ ଯୋଜନା ଚୟନ କରିବେ ତାହା ହିଁ ଅନ୍ତିମ ବିକଳ୍ପ ବୋଲି ଧରି ନିଆଯିବ । ଏହାର ଅର୍ଥ ଦ୍ଵିତୀୟ ଥର ଏହି ନିଷ୍ପତ୍ତି ଉପରେ କୌଣସି ପରିବର୍ତ୍ତନ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର ।
ସରକାରଙ୍କ ଏହି ପଦକ୍ଷେପକୁ ନ୍ୟାସନାଲ ମୁଭମେଣ୍ଟ ଫର ଓଲ୍ଡ ପେନସନ ତରଫରୁ ସ୍ଵାଗତ କରାଯାଇଛି । ଏହାସହ ସଂଗଠନ ତରଫରୁ ପୁଣି ଥରେ ସମସ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରାଯାଇଛି । 2004 ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନା କ୍ରମରେ ପେନସନ ଦେଉଛନ୍ତି ସରକାର । ଯାହା ତାଙ୍କ ଅବସର ସମୟର ଦରମା ଉପରେ ନିର୍ଭର କରିଥାଏ ।
ଏହି ଯୋଜନା ଅନୁସାରେ ଉକ୍ତ କର୍ମଚାରୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ସ୍ତ୍ରୀ କିମ୍ବା ସ୍ଵାମୀଙ୍କୁ ପେନସନ ଦେବାର ପ୍ରାବଧାନ ରହିଛି । 2004 ଏପ୍ରିଲ ପହିଲାରେ ପୁରୁଣା ପେନସନ ଯୋଜନାକୁ ବନ୍ଦ କରି ରାଷ୍ଟ୍ରୀୟ ପେନସନ ଯୋଜନା ଲାଗୁ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।