ନନ୍ଦିଘୋଷ ଠାରୁ ରତ୍ନବେଦୀ ଯାଏଁ ପଡିଛି କାଳିଆର ପାଦଚିହ୍ନ, ଶ୍ରୀମନ୍ଦିରକୁ ଲେଉଟି ଯିବା ପରେ ପାଦଚିହ୍ନ ଦେଖି ଝୁରୁଛନ୍ତି ଭକ୍ତ, ଦେଖନ୍ତୁ ଭିଡିଓ

ଶ୍ରୀ ଜଗନ୍ନାଥ ନୀଳକନ୍ଦରକୁ ବିଜେ କରିଛନ୍ତି, ଆଉ ନନ୍ଦିଘୋଷ ଠାରୁ ରତ୍ନବେଦୀ ପର୍ଯ୍ୟନ୍ତ ପଡିଛି ତାଙ୍କ ପାଦଚିହ୍ନ । ଆଉ ସେହି ପାଦଚିହ୍ନରୁ ଛୁଟି ପଡୁଛି ଚନ୍ଦନ, କର୍ପୁର ଓ ତୁଳସୀର ବାସ୍ନା । ବଡଦାଣ୍ଡରେ କାଳିଆର ପାଦଚିହ୍ନ ପାଇ ଶ୍ରଦ୍ଧାଳୁ ଭାବ ବିହ୍ଵଳିତ ହୋଇ ପଡ଼ୁଛନ୍ତି ଓ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି । ତାଙ୍କ ଶ୍ରୀଅଙ୍ଗରୁ ଝରି ପଡିଥିବା ଛାପରୁ ଯେଉଁ ଚନ୍ଦନ, କର୍ପୁର ଓ ତୁଳସୀର ବାସ୍ନା ବାହାରୁଛି ସେଥିରେ ବଡଦାଣ୍ଡ ମହକି ଉଠୁଛି ।

କୋଟି କୋଟି ଭକ୍ତଙ୍କ ଆଖିରେ ଲୁହ ଦେଇ ପୁଣି ଥରେ ଶ୍ରୀମନ୍ଦିରକୁ ଫେରି ଯାଇଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ । ଚତୁର୍ଦ୍ଧାମୂର୍ତ୍ତି ବାହୁଡା ଯାତ୍ରା ଶେଷ କରି ପୁଣି ଥରେ ବଡ ଦେଉଳକୁ ଲେଉଟି ଯାଇଛନ୍ତି । ସେମାନେ ଶ୍ରୀମନ୍ଦିରରୁ ବାହାରକୁ ଆସି ନିଜେ କାନ୍ଦିବା ସହ ଭକ୍ତଙ୍କୁ ମଧ୍ୟ କନ୍ଦାଇ ଦେଇଛନ୍ତି । କାଳିଆ ଆଖିରୁ ଯେମିତି ଲୁହ ଝରିଛି ତାଙ୍କୁ ଦେଖି ଭକ୍ତଙ୍କ ଆଖିରୁ ମଧ୍ୟ ସେମିତି ଲୁହ ଝରିଛି । ନଅ ଦିନର ସେହି ଅପାର ଲୀଳାଖେଳା ସାରି ଶ୍ରୀ ମନ୍ଦିରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ଗତକାଲି ମହାପ୍ରଭୁଙ୍କର ନୀଳାଦ୍ରିବିଜେ ହୋଇଥିଲା । ଆଉ ଯେତେବେଳେ ମହାପ୍ରଭୁଙ୍କ ସେବକ ମାନେ ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ପହଣ୍ଡି କରି ନେଉଥାନ୍ତି ସେତେବେଳେ କାଳିଆ ସାଆନ୍ତ ବଡଦାଣ୍ଡରେ ଠିଆ ହୋଇ ଯାଇଥାନ୍ତି । ଆଉ ସେହି ସମୟରେ ମହାପ୍ରଭୁଙ୍କ ପାଦଚିହ୍ନ ବଡଦାଣ୍ଡରେ ପଡିଥାଏ । ନନ୍ଦିଘୋଷ ରଥ ଠାରୁ ଆରମ୍ଭ କରି ରତ୍ନବେଦୀରେ ମହାପ୍ରଭୁ ବିଜେ ହେବା ପର୍ଯ୍ୟନ୍ତ ତାଙ୍କ ପାଦଚିହ୍ନ ପଡିଥାଏ ।

କଳା ମଚମଚ ପିଚୁ ଉପରେ ପଡିଥିବା ମହାପ୍ରଭୁଙ୍କ ହଳଦୀ ରଙ୍ଗର ପାଦଚିହ୍ନ ଆଜି ଭକ୍ତ ମାନଙ୍କୁ ଟାଣି ନେଉଛି । ଶ୍ରୀଅଙ୍ଗକୁ ସିନା ଭକ୍ତ ଛୁଇଁ ପାରିନାହାନ୍ତି, ହେଲେ ତାଙ୍କର ସେହି ଶ୍ରୀଅଙ୍ଗରୁ ଝରି ପଡିଥିବା ଛାପକୁ ଛୁଇଁ ଭକ୍ତମାନେ ପୁଣ୍ୟ ଭିକ୍ଷା କରୁଛନ୍ତି । ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସି ଭକ୍ତମାନଙ୍କୁ ଦେଖା ଦେଇଥାନ୍ତି ପ୍ରଭୁ ଜଗନ୍ନାଥ । ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଖୁବ ଧୁମଧାମ୍ ରେ ପାଳିତ ହୁଏ ।

ମହାପ୍ରଭୁଙ୍କ ଦର୍ଶନ ଲାଗି ସାରା ବିଶ୍ୱରୁ ଭକ୍ତମାନେ ଆସି ରୁଣ୍ଡ ହୁଅନ୍ତି । ଆଉ ଏଥର ଘୋଷଯାତ୍ରା ଶେଷ ହେବା ପରେ ପୁଣି ଥରେ କାଳିଆକୁ ଝୁରୁଛି ଭକ୍ତଙ୍କ ମନ । ଭଗବାନଙ୍କ ଶ୍ରୀଅଙ୍ଗକୁ ଭକ୍ତମାନେ ଛୁଇଁ ପାରିଲେନି ବୋଲି ସତେ ଯେମିତି ସେ ତାଙ୍କ ପାଦଚିହ୍ନ ଛାଡି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।