ପୁଣି ଥରେ ଅକ୍ଟୋବରରେ ବାତ୍ୟା ହେବା ନେଇ ସାରା ଓଡିଶାବାସୀଙ୍କ ମନରେ ଛନକା ପଶିଲାଣି । ବିଶେଷ କରି ଉପକୂଳବର୍ତ୍ତୀ ଲୋକମାନେ ଚିନ୍ତାରେ ପଡିଗଲେଣି । ପୂର୍ବରୁ ଆମେରିକାର GFS ମଡେଲ ବାତ୍ୟା ଆଶଙ୍କା ଥିବା ସୂଚନା ଦେଇଥିବା ବେଳେ IMD ଏନେଇ କୌଣସି ସୂଚନା ଦେଇ ନଥିଲା । କିନ୍ତୁ ବର୍ତ୍ତମାନ IMD ମଧ୍ୟ ବାତ୍ୟା ଆଶଙ୍କା ଥିବା ନେଇ ଟ୍ବିଟ କରି ସୂଚନା ଦେବାପରେ ରାଜ୍ୟ ସରକାର ମଧ୍ୟ ବାତ୍ୟା ପ୍ରସ୍ତୁତି ଆରମ୍ଭ କରିଦେଲେଣି ।
ସମ୍ଭାବ୍ୟ ବାତ୍ୟା ଯୋଗୁଁ ୭ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଆଗକୁ ପ୍ରସ୍ତୁତ ରହିବା ପାଇଁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରପଡା, ଜଗତସିଂପୁର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି । ଏହାସହ ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ଆଶଙ୍କାକୁ ଆଖି ଆଗରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି ।
ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟସ୍ତରୀୟ ଷ୍ଟେଟ ରାପିଡ୍ ରେସପନ୍ସ ଟିମ୍ କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ସକାଶେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କୁ ମଧ୍ୟ କାର୍ଯ୍ୟକ୍ଷମ ରଖାଯିବ । ଏସଆରସି, ଏସଡମା ଏବଂ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସହିତ ସମନ୍ଵୟ ରଖି ବାତ୍ୟା ପରିସ୍ଥିତିକୁ ଏଡାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ବାତ୍ୟା ପାଇଁ ଜିଲ୍ଲା ସବଡିଭିଜନ ସ୍ତରରେ ପ୍ରସ୍ତୁତି କରାଯିବା ସହ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ହେବ ।
ଆଉ ଦରକାର ପଡିଲେ ଅତିରିକ୍ତ ମାନବ ସମ୍ବଳ ମଧ୍ୟ ନିଯୁକ୍ତ କରାଯିବ । ଜିଲ୍ଲା ଏବଂ ବ୍ଲକ ସ୍ତରରେ ରାପିଡ୍ ରେସପନ୍ସ ଟିମ୍ ଙ୍କୁ ମୁତୟନ ରଖାଯିବ । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ୨୪ ଘଣ୍ଟିଆ ଜଳ ଏବଂ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ସହ ଖାଦ୍ଯ ସାମଗ୍ରୀ, ଔଷଧ ଏବଂ ଅନ୍ୟ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ୭ଟି ଜିଲ୍ଲାରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଜରୁରୀକାଳୀନ ପରିସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତ ରଖାଯିବ ଏବଂ ପାନୀୟଜଳ ବିଶୋଦହନ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାସ୍ କରି ଆଲର୍ଟ ଜାରି କରାଯାଇଥିବା ଏହି ୭ଟି ଜିଲ୍ଲା ଗୁଡିକୁ ସତର୍କ ରହିବା ପାଇଁ କୁହାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।