ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସୁଗନ୍ଧ ପ୍ରିୟ । ସେଥିପାଇଁ ଫୁଲ ରସିଆ କାଳିଆ ସାଆନ୍ତ ଅନେକ ପ୍ରକାର ସୁଗନ୍ଧିତ ଫୁଲ ପରିଧାନ କରନ୍ତି । ଅନେକ ପ୍ରକାର ପୁଷ୍ପରାଜ ତାଙ୍କ ମସ୍ତକ ମଣ୍ଡନ କରନ୍ତି । ମହାପ୍ରଭୁଙ୍କ ନିକଟରେ ସବୁବେଳେ ମଲ୍ଲୀ ଫୁଲ ଅର୍ପଣ କରାଯାଏ । କାରଣ ମଲ୍ଲୀ ଫୁଲ ମହାପ୍ରଭୁଙ୍କର ଅତିପ୍ରିୟ ଫୁଲ । ମଲ୍ଲୀ ଫୁଲ ଋତୁକାଳୀନ ହୋଇଥିଲେ ମଧ୍ୟ ପ୍ରତ୍ଯେକ ଦିନ କେଉଁଠୁ ନା କେଉଁଠୁ ଜଗନ୍ନାଥଙ୍କ ପାଇଁ ମଲ୍ଲୀ ଫୁଲ ଆସେ ।
ମଲ୍ଲୀ, ଜୁଇ, ଜାଇ, ଗୁରୁଦଲାଙ୍ଗ, ମାଳତୀ ଆଦି ଅନେକ ପ୍ରକାର ସୁଗନ୍ଧିତ ଫୁଲରେ ମହାପ୍ରଭୁ ମଣ୍ଡିତ ହୋଇଥାନ୍ତି । ଆପାଦ ମସ୍ତକ ମହଣ ମହଣ ସୁନା ପରିଧାନ କଲେ ମଧ୍ୟ ପ୍ରାକୃତିକ ଶୋଭାରାଜି ପୁଷ୍ପଙ୍କୁ ଅଙ୍ଗୀକାର କରନ୍ତି ଜଗନ୍ନାଥ । ଯାହାକି ବଡଶୃଙ୍ଗାର ବେଶରେ ଦେଖିବାକୁ ମିଳେ । ମହାପ୍ରଭୁ ମଇଲମ ହେବା ପରେ ସାରା ରାତି ସୁଗନ୍ଧିତ ପୁଷ୍ପରେ ମଣ୍ଡିତ ହୁଅନ୍ତି । ପୁଷ୍ପରେ ପ୍ରସ୍ତୁତ ହୋଇଥିବା ଚନ୍ଦ୍ରିକା, ଅଳକା, ନାକୁଆସି, ନାକଚଣା, କରପଲବ, ଅଧରମାଳ ଓ ପଦକ ଆଦି ମହାପ୍ରଭୁ ପିନ୍ଧିଥାନ୍ତି ।
ଆଉ ସବୁଠୁ ବିଚିତ୍ର କଥା ହେଉଛି, ଗଛରେ ଥିବାବେଳେ ଫୁଲ ଗୁଡିକ ଯେପରି ସତେଜ ହୋଇଥାନ୍ତି ମହାପ୍ରଭୁଙ୍କ ଅଙ୍ଗରେ ଶୋଭା ପାଉଥିବା ବେଳେ ମଧ୍ୟ ଠିକ ସେପରି ସତେଜ ରହିଥାନ୍ତି । ମହାପ୍ରଭୁଙ୍କ ଅଙ୍ଗରୁ ଓହ୍ଲାଇବା ପରେ ଜାଇ ଧୀରେ ଧୀରେ ମଉଳିଥାନ୍ତି ଫୁଲମାନେ । ପଦ୍ମ ଫୁଲକୁ ମଧ୍ୟ ମହାପ୍ରଭୁ ବେଶ ଭଲପାନ୍ତି । ସେଥିପାଇଁ ପଦ୍ମବେଶ ମଧ୍ୟ ଧାରଣ କରନ୍ତି ।
ଜଗନ୍ନାଥଙ୍କ ମୁଖ, ହୃଦୟ ଓ ପାଦ ଆଦିକୁ ପଦ୍ନ ସହ ତୁଳନା କରାଯାଇଛି । ତେଣୁ ପଦ୍ମ ଫୁଲ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ଦୂରଦୂରାନ୍ତରେ ଥିବା ପଦ୍ମ ପୁଷ୍କରିଣୀରୁ ଭକ୍ତମାନେ ତାଙ୍କ ପାଇଁ ପଦ୍ମଫୁଲ ଭାରରେ ଆଣନ୍ତି । ପାରିଜାତ ଫୁଲ ସ୍ଵର୍ଗରେ ଫୁଟିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
ତେଣୁ ପାରିଜାତ ପୁଷ୍ପ, ହିମାଳୟରୁ ବ୍ରହ୍ମକମଳ ଆଦି ଫୁଲ ମଧ୍ୟ ମହାପ୍ରଭୁଙ୍କ ପାଇଁ ଆସିଥାଏ । ଏହା ବ୍ୟତୀତ ଆହୁରି ଅନେକ ଦିବ୍ୟ ପୁଷ୍ପ ଯାହାକି ଧରାପୃଷ୍ଠରେ ବିରଳ ଯେପରିକି କଳା ମଲ୍ଲୀ ସେସବୁ ମଧ୍ୟ ମହାପ୍ରଭୁଙ୍କ ପାଇଁ ଆସିଥାଏ । କିନ୍ତୁ ତୀବ୍ର ଗନ୍ଧଯୁକ୍ତ ଫୁଲଗୁଡିକ ଏବଂ ଶ୍ମଶାନରେ ଫୁଟୁଥିବା ଫୁଲ ମହାପ୍ରଭୁ ଅଙ୍ଗୀକାର କରନ୍ତି ନାହିଁ ।
ଅରଖ, ଦୁର୍ଦୁରା, ଗୟସ ଆଦି ଫୁଲ ତାଙ୍କର ପ୍ରଯୁଜ୍ୟ ହୋଇ ନଥାଏ । ଚମ୍ପା ଫୁଲ ସୁଗନ୍ଧମୟ ହୋଇଥିବାରୁ ତାକୁ ମଧ୍ୟ ନିଜ ମସ୍ତକରେ ଧାରଣ କରନ୍ତି କାଳିଆ ଠାକୁର । ଅନେକ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ଯେପରି ଚନ୍ଦନ, କସ୍ତୁରୀ ଆଦିରେ ମଧ୍ୟ ସେ ମଣ୍ଡିତ ହୁଅନ୍ତି । ତୁଳସୀ, ଗୟଳା ଓ ମରୁଆ ଆଦି ପଲ୍ଲବରେ ମଧ୍ୟ ମହାପ୍ରଭୁ ମଣ୍ଡିତ ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।