ପିସିଓଏସ ବା ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ ହେଉଛି ଏକ ହରମୋନ ଜନିତ ସମସ୍ଯା । ଏହି ସମସ୍ଯା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ଦେଖାଦିଏ, ବହୁତ ଦିନ ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ କିମ୍ବା ମାସକରେ ଦୁଇଥର ଋତୁଚକ୍ର ହୋଇଥାଏ । ତେବେ ପିସିଓଏସ ର କାରଣ କଣ ? ଏହା ହେଲେ ମହିଳାଙ୍କ ଠାରେ କେଉଁ କେଉଁ ସମସ୍ଯା ହୋଇପାରେ ? ଆସନ୍ତୁ ଏନେଇ ଜାଣିବା ବିଶିଷ୍ଟ ସ୍ତ୍ରୀରୋଗ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣାଙ୍କ ଠାରୁ ।
ମହିଳାଙ୍କ ୟୁଟ୍ରେସର ଦୁଇ ପାର୍ଶ୍ଵରେ ଦୁଇଟି ଓଭାରି ରହିଛି । ପ୍ରତି ମାସରେ ଏହି ଓଭାରିରୁ ଅଣ୍ଡା ନିର୍ଗତ ହୁଏ ଓ ଏହାର ୧୫ଦିନ ପରେ ଋତୁସ୍ରାବ ହୋଇଥାଏ । କିନ୍ତୁ ହରମୋନ ସମସ୍ଯା ହେତୁ ଓଭାରିରୁ ଏହି ଅଣ୍ଡା ରିଲିଜ ନହୋଇ ପାରିଲେ ଏହା ସିଷ୍ଟ ବା ପାଣି ଜମିଥିବା ଏକ ଗଣ୍ଠି ଆକାରରେ ଓଭାରିରେ ଜମା ହୋଇଯାଏ । ଏହା ବଂଶଗତ କାରଣରୁ ହୋଇପାରେ କିମ୍ବା ଆଜିର ଜୀବନଶୈଳୀ ଏବଂ ପରିବେଶ ମଧ୍ୟ ଏଥିପାଇଁ ବହୁ ପରିମାଣରେ ଦାୟୀ ।
ସମୟରେ ନ ଶୋଇବା, ରାତି ଅନିଦ୍ରା ହେବା, ବାହାର ଖାଦ୍ଯ ଅଧିକ ଖାଇବା ଆଦି ଅନିୟମିତ ଜୀବନଶୈଳୀ ଯୋଗୁଁ ଏହି ପିସିଓଏସ ସମସ୍ଯା ଆଜିକାଲି ପ୍ରାୟତଃ ମହିଳାଙ୍କ ଠାରେ ଦେଖିବାକୁ ମିଳୁଛି । ଗାଇନିକ ବା ଋତୁସ୍ରାବ ଜନିତ ସମସ୍ଯା, ଓଜନ ବଢିବା, ମୁହଁରେ କେଶ ବଢିବା, ଚୁଟି ଝଡିବା, ବନ୍ଧ୍ୟାଦୋଷ କିମ୍ବା ଚର୍ମରେ କୌଣସି ସମସ୍ଯା ଦେଖା ଦେଉଥିଲେ ଏହା ପିସିଓଏସ ଲକ୍ଷଣ ହୋଇପାରେ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ଏହା ଜାଣିବା ପାଇଁ ଅଲଟ୍ରାସାଉଣ୍ଡ ଓ ଏଥିପାଇଁ କିଛି ରକ୍ତ ପରୀକ୍ଷା ମଧ୍ୟ କରା ଯାଇଥାଏ । ହରମୋନରେ ସନ୍ତୁଳନ ଆଣିଲେ ବା ଜୀବନଶୈଳୀ ଏବଂ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ଏହି ରୋଗକୁ ଅନେକ ମାତ୍ରାରେ କମ୍ କରିହେବ । ଏଥିପାଇଁ କାର୍ବୋହାଇଡ୍ରେଡ ଜାତୀୟ ଖାଦ୍ୟ ତଥା ଭାତ, ମଇଦା, ଆଳୁ ଚିନି ଆଦି ଖାଦ୍ଯରେ ଯେତେ ସମ୍ଭବ କମ ଖାଆନ୍ତୁ । ବାକି ପନିପରିବା, ଶାଗ, ଫଳମୂଳ ଆଦି ଯଥେଷ୍ଟ ପରିମାଣରେ ଖାଆନ୍ତୁ । କ୍ଷୀର ଜାତୀୟ ଜିନିଷ ମଧ୍ୟ କମ୍ ଖାଇବା ଉଚିତ ।
ଏହାସହ ରାତି ୧୦ଟା ପରେ ମୋବାଇଲ, ଲାପଟପ ଆଦି ଇଲେକ୍ଟ୍ରୋନିକ୍ସ ଜିନିଷର ବ୍ୟବହାର ବନ୍ଦ କରିବାକୁ ହେବ । ଶୀଘ୍ର ଶୁଅନ୍ତୁ ଏବଂ ଶୀଘ୍ର ଉଠନ୍ତୁ । ସକାଳେ କିଛି ସମୟ ବ୍ୟାୟାମ କରନ୍ତୁ ଓ ଦିନ ସାରା ପାଣି ପ୍ରଚୁର ମାତ୍ରାରେ ପିଅନ୍ତୁ । ମଦ ଏବଂ ସିଗାରେଟ ଆଦି ନିଶାଦ୍ରବ୍ଯ ଠାରୁ ଦୂରେଇ ରୁହନ୍ତୁ ।
ଏହିଭଳି ଏକ ସୁସ୍ଥ ଜୀବନଶୈଳୀ ମେଣ୍ଟେନ କରିବା କରିବା ଦ୍ଵାରା ଆପଣଙ୍କ ପିସିଓଏସ ସମସ୍ଯା ଭଲ ହୋଇପାରେ । ଏହାସହ ଆମ ଇନସୁଲିନ ସ୍ତର ଏବଂ ମେଲ ହରମୋନ ସ୍ତରକୁ କମ୍ କରିବା ପାଇଁ କିଛି ଔଷଧ ଏବଂ ପିରିୟଡ ରେଗୁଲାରିଟି ପାଇଁ ମଧ୍ୟ କିଛି ଔଷଧ ରହିଛି ଯାହା ଡାକ୍ତରଙ୍କ ପରାମର୍ଶରେ ଖାଇବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।