ଏହାରି ମଧ୍ୟରେ 22 ବର୍ଷ ବିତିଯାଇଛି । ହେଲେ 16 ଡିସେମ୍ବର 2000 ର ସେହି ଛାତିଥରା ଦୃଶ୍ୟ ଆଜି ବି ମନରୁ ଲିଭିନି । ଏହା ଓଡିଶା ସମେତ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅଚାନକ ପୋଲିସର ଅନର୍ଗଳ ଗୁଳିରେ ତିନିଜଣ ଟଳି ପଡିଥିଲେ । ସେମାନେ ଶହୀଦ ହେବାସହ ଅନେକ ଆହତ ମଧ୍ୟ ହୋଇଥିଲେ । ଉତ୍କଳ ଆଲୁମିନାଲ ଇଣ୍ଟରନ୍ୟାସନାଲ ଲିମିଟେଡ କମ୍ପାନୀ ବାଘଲାମାଳି ବକ୍ସାଇଟ ହରଣକୁ ନେଇ ଉତ୍ତେଜନା ଲାଗି ରହିଥିଲା ।
ସେହି ସମୟରେ କମ୍ପାନୀର ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଥିବା ତିକ୍ତତା ପଦାକୁ ଆସିଥିଲା । ସମସ୍ଯାର ସମାଧାନ କରିବା ପାଇଁ ଏକ ବୈଠକ ଡକା ଯାଇଥିଲା । ହେଲେ ବୈଠକ ବେଳେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଶେଷରେ ପରିସ୍ଥିତି ଏତେ ଅସମ୍ଭାଳ ହୋଇଥିଲା ପୋଲିସ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା । ଫଳରେ ସେଠାରେ ତିନିଜଣଙ୍କ ଜୀବନ ଚାଲି ଯାଇଥିଲା ଓ ଅନେକ ଲୋକ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ପୋଲିସଙ୍କୁ ବି ଆକ୍ରମଣ କରିବା ସହ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ ।
କେବଳ ଏତିକି ନୁହେଁ ବରଂ ଅନେକ ସାମ୍ବାଦିକ ମଧ୍ୟ ସେଦିନ ଆହତ ହୋଇଥିଲେ । ନିଜ ଜୀବନକୁ ବାଜି ଲଗାଇ କାଶୀପୁର ଡାକ୍ତରଖାନାର ଡାକ୍ତର ପରମେଶ୍ଵର ସେଠୀ ଆହତ ଲୋକଙ୍କ ଚିକିତ୍ସା କରିଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସେହି ତିନିଜଣ ବ୍ୟକ୍ତିଙ୍କ ବଳିଦାନକୁ ମନେପକାଇ ସ୍ଥାନୀୟ ଲୋକେ ଶହୀଦ ଦିବସ ପାଳନ କରି ଆସୁଛନ୍ତି ।
ନିଜ ଗାଁ ମାଟି, ପାଣି, ପବନ ଓ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖି ସେମାନେ ଶହୀଦ ହୋଇଛନ୍ତି ବୋଲି ଆଜି ବି ତାଙ୍କୁ ମନେ ପକାଉଛନ୍ତି ଲୋକେ । ଆଜିକାଲି ଶହୀଦଙ୍କ ପରିବାରକୁ କେତେ କଣ ସହାୟତା ମିଳୁଛି । କିନ୍ତୁ ଏହି ତିନିଜଣ ଶହୀଦ ହେବାର ଅନେକ ବର୍ଷ ବିତି ଯାଇଥିଲେ ବି ତାଙ୍କ ପରିବାରକୁ କୌଣସି ସହାୟତା ମିଳିନି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହି କମ୍ପାନୀ ନିଜ ଫାଇଦା ପାଇଁ ସେଠାକାର ଭାଇ ଭାଇ ଓ ସାହି ସାହି ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କଲା ।
ଆଉ ଯାହା ସବୁ ଫାଇଦା ଯୋଗାଇ ଦେବ ବୋଲି କହିଥିଲା ସେହି କମ୍ପାନୀ ସେସବୁ କିଛି ବି କରିନି । ଆଜି ବି ସେଠାକାର ପିଲା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ସେଦିନର ସେହି ଘଟଣା ଆଜି ବି ଲୋକଙ୍କ ଆଖିରେ ଜଳଜଳ ହୋଇ ଦିଶୁଛି ଓ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।