ଆପଣ ଜୀବନରେ କେବେ ଅନୁତାପ କରିଛନ୍ତି କି ? କେମିତି ଅନୁତାପ ସହ ଡିଲ୍ କରିବେ ? ଜାଣନ୍ତୁ ମନସ୍ତତ୍ଵବିତ Sambit Nanda କଣ କହୁଛନ୍ତି

ପ୍ରତିଟି ମଣିଷ ତା’ ଜୀବନରେ କେବେ ନା କେବେ କୌଣସି କାରଣ ପାଇଁ ଅନୁତାପ ନିଶ୍ଚୟ କରିଥାଏ । କିଏ ଚାକିରିକୁ ନେଇ, କିଏ ସମ୍ପର୍କକୁ ନେଇ ତ ଆଉ କିଏ ନିଜର ନିଷ୍ପତ୍ତିକୁ ନେଇ ଅନୁତାପ କରିଥାନ୍ତି । କିଛି ହରାଇବାର ଦୁଃଖ ଆଉ ଜୀବନରେ ମିଳିଥିବା କିଛି ବିଫଳତାକୁ ନେଇ ଅନୁତାପ ମଣିଷ ମନକୁ ବିଚଳିତ କରି ଦେଇଥାଏ । କିନ୍ତୁ ଏହି ଅନୁତାପରୁ ସକାରାତ୍ମକ ଶିକ୍ଷା ଗ୍ରହଣ କଲେ ଆଗାମୀ ଭବିଷ୍ୟତ ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ମନସ୍ତତ୍ଵବିତ ସମ୍ବିତ ନନ୍ଦ ।

ଅନୁତାପ କରିବା ଦ୍ଵାରା ମଣିଷ ମନକୁ ନକରାତ୍ମକ ଚିନ୍ତାଧାରା ଆସିଥାଏ । କିନ୍ତୁ ବୁଝିବା ଉଚିତ ଯେ ଅନୁତାପ ଆମ ଜୀବନର ଗୋଟିଏ ଅଂଶ । ଏହା କାହା ଜୀବନରେ ଯେ କେବେ ନ ଆସିବ କେହି କହିପାରିବ ନାହିଁ । ଅନୁତାପ ଶବ୍ଦ ଆମ ସମସ୍ତଙ୍କ ଜୀବନରେ ଆସିଥାଏ । ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ସଂଘର୍ଷ କରିଥାଉ । ଜନ୍ମ ହେବା ଦିନଠାରୁ ସ୍କୁଲ, କଲେଜ ପାଠପଢା, ଚାକିରି, ବୈବାହିକ ଜୀବନ, ପିଲାଛୁଆ ଓ ବୁଢା ହେବା ପର୍ଯ୍ୟନ୍ତ ଆମକୁ ସଂଘର୍ଷ କରିବାକୁ ପଡିଥାଏ ।

ପ୍ରତ୍ଯେକଙ୍କ ଜୀବନରେ ଅନେକ ଆଶା ଏବଂ ସପ୍ନ ତଥା ଅଭିଳାଷ ଥାଏ । ସେଥିମଧ୍ୟରୁ କିଛି ହାସଲ ହୁଏ ଆଉ କିଛି କରି ହୁଏନି । ଏହିସବୁ ମଧ୍ୟରେ ଅନୁତାପ ବା ପଶ୍ଚାତାପ ଆସିଥାଏ । ଅନୁତାପ ଏକ ନକରାତ୍ମକ ଅନୁଭୂତି ଏଥିରେ କୌଣସି ସନ୍ଦେହ ନାହିଁ ସତ କିନ୍ତୁ ଏଥିରୁ ମିଳିଥିବା ଶିକ୍ଷା ଆମକୁ ଜୀବନରେ ଆଗକୁ ସାହାଯ୍ୟ କରିବ ।

ଏହା ଆମକୁ ଆଗକୁ ରାସ୍ତା ଦେଖାଇବ ଓ ଅନେକ ବିଷୟ ପ୍ରତି ଜାଗ୍ରତ ରହିବା ପାଇଁ ମଧ୍ୟ ଶିଖାଇଥାଏ । ଅନୁତାପରୁ ଶିଖିବା ନିହାତି ଜରୁରୀ । ଅନେକ ସମୟରେ କିଛି ଅନୁତାପ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁହେ ଆଉ କିଛି କମ୍ ସମୟରେ ଠିକ ହୋଇଯାଏ । ଆମେ ଯେତେବେଳେ ବି କିଛି ନିଷ୍ପତ୍ତି ନେଉ ଭାବିଚିନ୍ତି ନେଇଥାଉ । କିଛି ନିଷ୍ପତ୍ତିରେ ଭାଗ୍ୟ ସାଥ୍ ଦିଏ ଆଉ କିଛିରେ ଦିଏନି । କିନ୍ତୁ କୌଣସି ନିଷ୍ପତ୍ତି ଫଳପ୍ରଦ ନହେଲେ ଆମର ଅନୁତାପ ହୁଏ ।

ତେବେ କିଛି ସମୟ ପର୍ଯ୍ୟନ୍ତ ଥରେ ଅଧେ ଅନୁତାପ ହେବା ଠିକ କିନ୍ତୁ ଯଦି ସେହି ଅନୁତାପ ବାରମ୍ବାର ଆମକୁ ବ୍ୟତିବ୍ୟସ୍ତ କରିଦେଉଛି ତେବେ ଏହା ଆମ ମାନସିକ ଏବଂ ଭବିଷ୍ୟତ ଜୀବନ ପାଇଁ ମଧ୍ୟ ଠିକ ନୁହେଁ ।

ତେଣୁ ଯଦି କୌଣସି ବିଷୟକୁ ନେଇ ପଶ୍ଚାତାପ କରୁଛନ୍ତି ତେବେ ଏହା ସମ୍ବନ୍ଧରେ ନିଜର ଆତ୍ମୀୟ ସ୍ଵଜନ କିମ୍ବା କୌଣସି ଘନିଷ୍ଠ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ । ଦେଖିବେ ନିଶ୍ଚୟ ଆପଣଙ୍କୁ ଏକ ସକାରାତ୍ମକ ଦିଗ ଦେଖାଯିବ । ଜୀବନରେ ଭଲ ମନ୍ଦ ସବୁ ବିଷୟରୁ ଅନୁଭୂତି ହାସଲ କରନ୍ତୁ ଓ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ଜୀବନକୁ ଓ ଚିନ୍ତାଧାରାକୁ ଆହୁରି ମାର୍ଜିତ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।