ଯେଉଁ ଘରେ ରହିବା ପାଇଁ ଦୀର୍ଘ ଦେଢ ମାସ ଧରି ଲଢେଇ କରୁଥିଲେ ତପସ୍ଵିନୀ, ସେହି ଘରେ ତାଙ୍କ ପଦ ପଡିବା ପରେ ଘରୁ ବାହାରି ଗଲେ ଶ୍ଵଶୁର । ଆଉ ଯାହାଙ୍କୁ ସ୍ଵାମୀ ଭାବେ ହାତ ଧରିଥିଲେ, ଦୀର୍ଘଦିନ ହେଲାଣି ତାଙ୍କର ଦେଖା ଦର୍ଶନ ନାହିଁ । ତେବେ ତପସ୍ଵିନୀଙ୍କ ଗୃହ ପ୍ରବେଶ ପରେ ବିବାଦ ବଢୁଥିଲେ ବି, କାହିଁକି ସାମ୍ନାକୁ ଆସୁ ନାହାନ୍ତି ସ୍ଵାମୀ ସୁମିତ ? ଆଉ ଏବେ କୁଆଡେ ଗଲେ ତାଙ୍କ ବାପା ପ୍ରମୋଦ କୁମାର ସାହୁ ? ଲୁଚି ରହିବାକୁ ବାଛି ନେଲେ କି ଉଭୟ ବାପା-ପୁଅ ?
ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ସୁମିତଙ୍କ ଓକିଲ କହିଛନ୍ତି କି, ସୁମିତ ବାଲିସରାରେ ଅଛନ୍ତି ଏବଂ ତାଙ୍କ ବାପା ଜଣେ ସମ୍ପର୍କୀୟଙ୍କ ଘରେ ଅଛନ୍ତି । ତେବେ ସୁମିତଙ୍କ ବାପା ବୋହୂ ଆଗରେ ନିଜକୁ ଅସୁରକ୍ଷିତ ମଣିବା ସହ ଜିଲ୍ଲା କୋର୍ଟଙ୍କ ରାୟ ପରେ ତପସ୍ଵିନୀଙ୍କୁ ଘରେ ପ୍ରବେଶ କରାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିନ୍ଦା କରିଛନ୍ତି ।
କୋର୍ଟଙ୍କ ରାୟକୁ ନେଇ ଦ୍ଵନ୍ଦରେ ଥିବା ବେଳେ ସେ ଚାପର ବଶବର୍ତ୍ତୀ ହୋଇ ତପସ୍ଵିନୀଙ୍କୁ ଘରେ ରଖାଇଥିଲେ । କିନ୍ତୁ ଏହା ତାଙ୍କର ଇଚ୍ଛା ବିରୁଦ୍ଧ ଥିଲା ବୋଲି ଭିଡିଓରେ କହିଛନ୍ତି ଶ୍ଵଶୁର ।ଜାନୁୟାରୀ ୪ ତାରିଖରେ ତପସ୍ଵିନୀ ସୁମିତଙ୍କ ଘରେ ରହିବେ ବୋଲି ରାୟ ଶୁଣାଇଥିଲେ ଜିଲ୍ଲା କୋର୍ଟ । ତପସ୍ଵିନୀଙ୍କ ଖର୍ଚ୍ଚ ପାଇଁ ପ୍ରତି ମାସରେ ୧୭ ହଜାର ଟଙ୍କା ମଧ୍ୟ ଦେବେ ବୋଲି କୋର୍ଟ କହିଥିଲେ ।
ଆଉ ଏହି ରାୟକୁ ଚ୍ୟାଲେଞ୍ଜ କରି ଇତିମଧ୍ୟରେ ହାଇକୋର୍ଟ ଯାଇଛନ୍ତି ସୁମିତଙ୍କ ଓକିଲ । ଆଉ ସେପଟେ କିନ୍ତୁ ସୁମିତ, ତାଙ୍କ ବାପା ଓ ଘରଲୋକ ସମସ୍ତେ ମାନସିକ ଚିନ୍ତାରେ ରହିଛନ୍ତି ବୋଲି କହିଛନ୍ତି ସୁମିତଙ୍କ ଓକିଲ । ଶ୍ଵଶୁର ଘର ଛାଡି ଚାଲିଯିବା ପରେ ଏକ ଭିଡିଓ ଜାରି କରି କହିଛନ୍ତି କି, ପୂର୍ବରୁ କିଛି ଦୋଷ ନକରି ବୋହୂ ତପସ୍ଵିନୀ ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣି ସାରିଛି । ଆଉ ପ୍ରଶାସନିକ ଅଧିକାରୀ ଜବରଦସ୍ତ ତାଙ୍କୁ ଘରେ ପ୍ରବେଶ କରାଇବା ପରେ ସେ ସେହି ଘରେ ରହିବା ପାଇଁ ଭୟଭୀତ ହୋଇ ଯାଇଛନ୍ତି ।
ସେଥିପାଇଁ ସେ ଘର ଛାଡି ଯାଉଛନ୍ତି ବୋଲି କହିଛନ୍ତି । ଏପଟେ ଏତେ ସବୁ ଘଟି ଯାଇଥିଲେ ମଧ୍ୟ ଏବେ ଯାଏଁ ସାମ୍ନାକୁ ଆସୁ ନାହାନ୍ତି ସୁମିତ । ଏନେଇ ମୁହଁ ମଧ୍ୟ ଖୋଲୁ ନାହାନ୍ତି ଡାକ୍ତର ସୁମିତ । ତେବେ ଦେଖିବାକୁ ବାକି ରହିଲା କେବେ ତୁଟିବ ଏହି ବହୁଚର୍ଚ୍ଚିତ ଦାମ୍ପତ୍ୟ କଳି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।