ତାଙ୍କର ଗୋଟିଏ ଗୋଟିଏ ପଞ୍ଚରେ ଅଭାବ ଅସୁବିଧା ସତେ ଯେମିତି ବାଟ ଭାଙ୍ଗି ଚାଲି ଯାଆନ୍ତି । ତାଙ୍କ ହାତ ଉଠିଲେ ହତାଶା ଯେମିତି ମୁଣ୍ଡ ନୁଆଇଁ ଦିଏ । ଆକାଉ ତାଙ୍କ ବ୍ଲାକ ବେଲ୍ଟକୁ ଦେଖିଲେ ଜୀବନ ଆକାଶରୁ କଳା ହାଣ୍ଡିଆ ମେଘ ଯେମିତି ଲୁଚିଯାଏ । ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର କ୍ରୀଷ୍ଣା ଶିକାରୀ, ଅଭାବୀର ବସତିରୁ ଆନ୍ତର୍ଜାତୀୟ କରାଟେ ପ୍ଲେୟାର । ଆଉ ଏବେ ସେ ଓଡିଶା ପୋଲିସରେ କନେଷ୍ଟବଳ । ତାଙ୍କ ପାଇଁ ସେତେ ସହଜ ନଥିଲା ସଂଘର୍ଷରୁ ସଫଳତାର ଯାତ୍ରା ।
ଜନ୍ମରୁ ଯୁବକ ହେବା ଯାଏଁ କେବେ ଭୋକ ସହ ଯୁଦ୍ଧ କରିଛନ୍ତି ତ କେବେ ଭୋକ ପାଖେ କରିଛନ୍ତି ଆତ୍ମ ସମର୍ପଣ । ଶେଷରେ ବାପାଙ୍କ ସହ ମିଶି ରାସ୍ତାକଡରେ ଗୁପ୍ଚୁପ ବିକିଛନ୍ତି କ୍ରୀଷ୍ଣା । ପରିବାର ଅବସ୍ଥା ଦେଖି ସେ ଖେଳକୁଦ ଛାଡି ସବୁବେଳେ ରୋଜଗାରର ବାଟ ଦେଖୁଥିଲେ । ଖଟାପାଣି ପରଶି ଗ୍ରାହକଙ୍କ ମିଠା ମିଠା କଥାରେ ପେଟ ସିନା ପୁରୁଥିଲା, ହେଲେ ସ୍ଵପଙ୍କୁ ହାସଲ କରିବାକୁ ସଂଘର୍ଷର ଭୋକ କିନ୍ତୁ ମରି ନଥିଲା ।
ଖେଳକୁଦରେ କ୍ରୀଷ୍ଣାଙ୍କର ଢେର ଆଗ୍ରହ ଥିଲା । ସଞ୍ଜ ହେଲେ ଗୁପ୍ଚୁପ ବିକୁଥିଲେ ଆଉ ରାତିରେ ଷ୍ଟ୍ରିଟ ଲାଇଟ ତଳେ ଶିଖୁଥିଲେ କରାଟେ । ଗରିବୀ ସାଥିରେ ଥିଲେ ବି ସ୍ଵପ୍ନ ତାରା ହୋଇ ବାଟ କଢାଇ ନେଉଥିଲା । ବାଲୁଗାଁରୁ ଭୁବନେଶ୍ବରର ଉତ୍କଳ କରାଟେ ସ୍କୁଲରେ ପହଞ୍ଚିଥିଲେ କ୍ରୀଷ୍ଣା । ସ୍କୁଲର ସମ୍ପାଦକ ଡକ୍ଟର ହରିପ୍ରସାଦ ପଟ୍ଟନାୟକ ତାଙ୍କ ମେଣ୍ଟର ସାଜିଥିଲେ । ଆଉ ଏହାପରେ କ୍ରୀଷ୍ଣା ଜାତୀୟ ଓ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ମେଡାଲ ପରେ ମେଡାଲ ଆଣି ଚାଲିଥିଲେ ।
ଅଲ୍ ଇଣ୍ଡିଆ ଓପନ କରାଟେ ଚମ୍ପିୟାନଶିପରେ ୧୨ଟି ସ୍ଵର୍ଣ୍ଣପଦକ ସାଙ୍ଗକୁ ଇଣ୍ଟର ନ୍ୟାସନାଲ ଓପନ ଚମ୍ପିୟାନଶିପରେ ମଧ୍ୟ କ୍ରୀଷ୍ଣା ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି । ଖେଳକୁଦରେ ଓଡ଼ିଶାକୁ ଗର୍ବିତ କରିଛନ୍ତି କ୍ରୀଷ୍ଣା । ଆଉ ରାଜ୍ୟ ସରକାର ସ୍ପୋର୍ଟ୍ସ କୋଟାରେ କ୍ରୀଷ୍ଣାଙ୍କୁ ପୋଲିସ ବିଭାଗରେ ଚାକିରି ଦେଲେ । ପୁଅର ଏଭଳି ସଫଳତାରେ ତାଙ୍କ ବାପାମାଆ ମଧ୍ୟ ଖୁବ୍ ଖୁସି ଅଛନ୍ତି । ତାଙ୍କ ଗାଁ ମଧ୍ୟ କ୍ରୀଷ୍ଣାଙ୍କ ପାଇଁ ଗର୍ବ କରୁଛି ।
ସମାଜରେ ସଂଘର୍ଷ ଓ ସଫଳତାର ଅନେକ ଯାତ୍ରା ଆପଣ ଦେଖିଥିବେ, ହେଲେ କ୍ରୀଷ୍ଣାଙ୍କର ଏହି କାହାଣୀ ଅଭାବୀ ବସ୍ତିରେ ଭାଙ୍ଗି ପଡୁଥିବା ଅନେକ କ୍ରୀଷ୍ଣାଙ୍କ ପାଇଁ ପ୍ରେରଣାର ଏକ ନାମ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।