ସରିଗଲା ଆସିକାର ଅଧ୍ୟାୟ । ତପସ୍ଵିନୀଙ୍କ ସଂଘର୍ଷର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ । ଚିନିଶିଳ୍ପ ଗେଷ୍ଟହାଉସରେ ରହଣି ସମୟରେ ଯେଉଁମାନେ ଏତେ ଦିନ ହେବ ତାଙ୍କୁ ସାହାଯ୍ୟ କରି ଆସିଥିଲେ ସମସ୍ତଙ୍କୁ ଯୋଡ ହସ୍ତରେ ନମସ୍କାର କରି ସେଠାରୁ ବିଦାୟ ନେଲେ ତପସ୍ଵିନୀ । ଏହାପରେ ସେ ଫେରିଯିବେ ବ୍ରହ୍ମପୁରକୁ । ବୋଧହୁଏ ତାଙ୍କ ପାଇଁ ଏତେ ଶୁଭକର ନଥିଲା ଏହି ଗେଷ୍ଟହାଉସଟି । ତେବେ ପ୍ରଶ୍ନ ଉଠୁଛି ତପସ୍ଵିନୀଙ୍କ ନୂଆ ଠିକଣା ଏବେ କ’ଣ ହେବ ?

ସ୍ଵାମୀ ଡାକ୍ତର ସୁମିତ କୁମାର ସାହୁ ଏବେ ଯାଏଁ ଘରଭଡା ଟିଏ ବୁଝିପାରି ନାହାନ୍ତି । ସ୍ଵାସ୍ଥ୍ୟଗତ ସମସ୍ଯା ଦର୍ଶାଇ ସୁମିତ କେଉଁଠାରେ ଅଛନ୍ତି ତାହା କେହି ମଧ୍ୟ ଜାଣି ନାହାନ୍ତି । କେବଳ ସୁମିତଙ୍କ ପ୍ରତିକ୍ରିୟା ସ୍ୱରୂପ କିଛି ଅଡିଓ ରେକର୍ଡ ହିଁ ଆସୁଛି । ବାପଘରକୁ ଯିବାକୁ ଚାହୁଁ ନାହାନ୍ତି ତପସ୍ଵିନୀ । ମଥାରେ ସିନ୍ଦୂର ଓ ବେକରେ ମଙ୍ଗଳସୂତ୍ର ପିନ୍ଧି ସ୍ଵାମୀଙ୍କ ସହ ହିଁ ରହିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି ।
ତପସ୍ଵିନୀ କେବେ ମଧ୍ୟ ହାରିଯିବେନି, ଶେଷ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରଖିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଏହା ମଧ୍ୟରେ ତପସ୍ଵିନୀଙ୍କ ଜୀବନ କାହାଣୀ ଅନେକ ମୋଡ ନେଇ ସାରିଛି । ତେବେ ତପସ୍ଵିନୀଙ୍କ ଜୀବନର ନୂଆ ପର୍ଯ୍ୟାୟ କ’ଣ ହେବ ? କ’ଣ ବ୍ରହ୍ମାନଗରର ଲେନ-୨ ର ସେହି ଧାରଣାସ୍ଥଳକୁ ପୁଣି ଫେରିବେ ତପସ୍ଵିନୀ ? ନା କୋର୍ଟ ତାଙ୍କ ଭାଗ୍ୟରେ କିଛି ନୂଆ ଘଟଣାର ସୂତ୍ରପାତ କରିବେ ?

ତପସ୍ଵିନୀଙ୍କ ସହିତ ଅନେକ ଶୁଭେଚ୍ଛୁଙ୍କ ସମବେଦନା ରହିଛି । ସୁମିତ ଅଡିଓ କଲ୍ ମାଧ୍ୟମରେ ତାଙ୍କ ଉପରେ ଯେଉଁ ସବୁ ଅଭିଯୋଗ ଆଣିଥିଲେ ତପସ୍ଵିନୀ ସାହସର ସହିତ ସେସବୁର ଗୋଟି ଗୋଟି ଉତ୍ତର ଦେଇଛନ୍ତି । ତପସ୍ଵିନୀ ଜୀବନର ଦୋଛକିରେ ଠିଆ ହୋଇଛନ୍ତି । ତେବେ ତାଙ୍କ ଜୀବନରେ ଆଶାର ଆଲୋକ ପଡିବ ବୋଲି ଏବେ ତ କାଇଁ ସମ୍ଭବ ଲାଗୁନାହିଁ । ତଥାପି ତପସ୍ଵିନୀଙ୍କ ଦୃଢ ନିଶ୍ଚୟ ଏବଂ ଆତ୍ମବିଶ୍ଵାସ ହିଁ ତାଙ୍କୁ ଆଜି ଏତେ ବାଟ ଆଣିପାରିଛି ।
ତପସ୍ଵିନୀ ଓ ସୁମିତଙ୍କ ମଧ୍ୟରେ କିଏ ଠିକ ବା କିଏ ଭୁଲ ଏହା ଆମେ କହୁନାହୁଁ । ଏହା ହେଉଛି ଏକ ପାରିବାରିକ କଳି ଯାହା ବହୁତ ଆଗକୁ ବଢିଯାଇଛି । ଆଉ ସମସ୍ତଙ୍କର ଆଶା ଘରର ଲକ୍ଷ୍ମୀ ଘରେ ହିଁ ରୁହନ୍ତୁ ଏବଂ ତପସ୍ଵିନୀଙ୍କୁ ତାଙ୍କ ଅଧିକାର ମିଳୁ । ତେବେ ଦେଖାଯାଉ ଆମର ସମାଜ, ବିଧିବ୍ୟବସ୍ଥା ଏବଂ ନ୍ୟାୟାଳୟ ତପସ୍ଵିନୀଙ୍କ ଭାଗ୍ୟରେ କ’ଣ ଲେଖୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।