ଦୀର୍ଘ ଦୁଇମାସ ଧରି ବ୍ରହ୍ମପୁର ବ୍ରହ୍ମାନଗରରେ ନିଜ ଶ୍ଵଶୁର ଘର ସାମ୍ନାରେ ଧାରଣା ଦେଉଥିଲେ ତପସ୍ଵିନୀ । ଧାରଣା ଦେବା ସହ ଆଇନଗତ ଲଢେଇ ମଧ୍ୟ ଜାରି ରଖିଥିଲେ । ଆଉ ଶେଷରେ ଜିଲ୍ଲା କୋର୍ଟ ତାଙ୍କୁ ସ୍ଵାମୀଙ୍କ ଘରେ ରହିବା ପାଇଁ ରାୟ ଶୁଣାଇବା ପରେ ତପସ୍ଵିନୀ ଶ୍ଵଶୁର ଘରେ ପ୍ରବେଶ କରିଛନ୍ତି । ତପସ୍ଵିନୀଙ୍କ ପଦ ଅନୁସରଣ କରି ଏବେ ଡଲି ନାମକ ଆଉ ଜଣେ ଝିଅ ଶ୍ଵଶୁର ଘର ଆଗରେ ଧାରଣା ଦେବାକୁ ଆରମ୍ଭ କରିଛନ୍ତି । ଡଲି ତାଙ୍କ ବୁଢୀ ମା’ଙ୍କୁ ନେଇ ଯାଇ ବସିଛନ୍ତି ଶ୍ଵଶୁର ଘର ବାରଣ୍ଡାରେ ।
ତାଙ୍କୁ ନ୍ୟାୟ ନ ମିଳିବା ନ ପର୍ଯ୍ୟନ୍ତ ସେ ସେଠାରୁ ଉଠିବେ ନାହିଁ ବୋଲି କହିଛନ୍ତି । ତାଙ୍କର ଛାଡପତ୍ର ହୋଇ ନଥିଲେ ମଧ୍ୟ ତାଙ୍କ ସ୍ଵାମୀ ବାହା ହେବା ପାଇଁ ଖୋଜୁଛନ୍ତି । ତାଙ୍କର ମାସିକ ଖର୍ଚ୍ଚ ମଧ୍ୟ ଦେଉ ନାହାନ୍ତି । ୨୦୨୦ ମସିହା ମାର୍ଚ୍ଚ ମାସରେ ତାଙ୍କର ବିବାହ ହୋଇଥିଲା । ଆଉ ତାଙ୍କ ବିବାହର ୬ ମାସ ପରେ ତାଙ୍କ ବାପା ଏବଂ ଭାଇ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ଶ୍ଵଶୁର ଘର ଲୋକଙ୍କ ଅତ୍ୟାଚାର ।
ଡଲିଙ୍କ ବାପା ଏବଂ ଭାଇ ନଥିବାର ସୁଯୋଗ ନେଇ ଡଲିଙ୍କ ପ୍ରତି ଅତ୍ୟାଚାର ଆରମ୍ଭ କରି ଦେଇଥିଲେ ଓ ଶେଷରେ ତାଙ୍କୁ ଘରୁ ମଧ୍ୟ ତଡି ଦେଇଥିଲେ । ଡଲି ଏନେଇ ଥାନାରେ ମାମଲା ରୁଜୁ କରିବା ପରେ ସେମାନଙ୍କ ମାମଲା ଫ୍ୟାମିଲି କୋର୍ଟ ଯାଏଁ ଯାଇଥିଲା । ଆଉ ସେଠାରେ ସେମାନଙ୍କ ମାମଲା ଏବେ ଯାଏଁ ଚାଲିଥିବା ବେଳେ ଡଲିଙ୍କୁ ମାସିକ ଖର୍ଚ୍ଚ ଦେବା ପାଇଁ କୋର୍ଟ ତାଙ୍କ ସ୍ଵାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଡଲିଙ୍କ ସ୍ଵାମୀ କୋର୍ଟଙ୍କ ଆଦେଶକୁ ଅବମାନନା କରୁଛନ୍ତି ।
ଡଲିଙ୍କ ସହ ତାଙ୍କର ଆଇନଗତ ଭାବେ ଛାଡପତ୍ର ହୋଇ ନଥିଲେ ମଧ୍ୟ ସ୍ଵାମୀ ଅନ୍ୟ ଝିଅ ସହ ଫୋନରେ କଥା ହେଉଛନ୍ତି ଏବଂ ବାହା ହେବାକୁ ମଧ୍ୟ ବାହା ହେବାକୁ ଯୋଜନା କରୁଛନ୍ତି ବୋଲି ଆରୋପ ଲଗାଉଛନ୍ତି ଡଲି । ତେବେ ସେ ଦାବି କରିଛନ୍ତି କି ତାଙ୍କୁ ଶ୍ଵଶୁର ଘରେ ରଖାଯାଉ ନଚେତ ସଂପୂର୍ଣ୍ଣ ଭରଣପୋଷଣ ଦେଇ ସ୍ଵାମୀ ଛାଡପତ୍ର ଦିଅନ୍ତୁ । ତେବେ ଯାଇ ସେ ସେଠାରୁ ଉଠିବେ ।
ତପସ୍ଵିନୀଙ୍କ ପରେ ଧୀରେ ଧୀରେ ଏମିତି ଶ୍ଵଶୁର ଘରୁ ବିତାଡିତ ହୋଇଥିବା ଝିଅମାନେ ନିଜ ଅଧିକାର ପାଇଁ ଆଗେଇ ଆସୁଥିବାର ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।