ସ୍ତନ କର୍କଟ (Breast Cancer) କୁ ରୋକିବେ କିପରି ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକତ୍ସା (Dr Saumya Ranjan Mishra)

ସ୍ତନର କୋଷିକା ଗୁଡିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଁ ଟ୍ଯୁମରର ରୂପ ନେଇଥାଏ । ପରେ ଏହି ଟ୍ଯୁମର କ୍ୟାନ୍ସରର ରୂପ ନେଇଥାଏ । ଯଦି ସ୍ତନ କର୍କଟ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରାଯାଏ, ତେବେ ଏହାର ଚିକିତ୍ସାର ଫଳାଫଳ ଭଲ ମିଳିଥାଏ । ଆଜିକାଲିର ଅସ୍ଵାସ୍ଥ୍ୟକର ଜୀବନଶୈଳୀ ସ୍ତନ କର୍କଟର ଏକ ମୁଖ୍ୟ କାରଣ ଅଟେ । ତେବେ ସ୍ତନ କର୍କଟର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଆସନ୍ତୁ ଜାଣିବା ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସୌମ୍ଯା ରଞ୍ଜନ ମିଶ୍ରଙ୍କ ଠାରୁ ।

ଆଜିକାଲି ଅଧିକାଂଶ ମହିଳାଙ୍କ ଠାରେ ମୋଟାପଣ ଦେଖାଯାଉଛି । ଶରୀରକୁ ଉପଯୁକ୍ତ ବ୍ୟାୟାମର ଅଭାବ ରହୁଛି ଓ ହରମୋନ ଅସନ୍ତୁଳିତ ରହୁଛି । ଅସ୍ଵାସ୍ଥ୍ୟକର ଜୀବନଶୈଳୀ ସାଙ୍ଗକୁ ଅସନ୍ତୁଳିତ ହରମୋନ ମଧ୍ୟ ସ୍ତନ କର୍କଟର ମୁଖ୍ୟ କାରଣ । ଏଥିପାଇଁ ଆଜିକାଲି ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବଢି ବଢିଚାଲିଛି । ସ୍ତନ କର୍କଟ ଅନେକ ପ୍ରକାରର ରହିଛି, କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଚିକିତ୍ସା ପ୍ରାୟତଃ ସମାନ ରହିଛି ।

୩୦-୪୦ ବର୍ଷୀୟା ମହିଳାଙ୍କ ଠାରେ ଅଧିକ ମାତ୍ରାରେ ସ୍ତନ କର୍କଟ ଦେଖିବାକୁ ମିଳେ । କିନ୍ତୁ ଆଜିକାଲି ୨୦-୨୫ ବର୍ଷ ବୟସରେ ମଧ୍ୟ କିଛି ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଉଛି । ସ୍ତନ କର୍କଟ ହୋଇଛି କି ଅବା ସ୍ତନରେ କିଛି ପରିବର୍ତ୍ତନ ଦେଖାଦେଇଛି କି ନାହିଁ ଏହା ଆପଣ ନିଜେ ପରୀକ୍ଷା କରି ଜାଣିପାରିବେ । ଅନେକ ମହିଳା ଲାଜ କରି ରହିଯାନ୍ତି ଓ ପରେ ଏହା ଭୀଷଣ ରୂପ ନେଇଯାଏ ।

ତେଣୁ ମାସିକ ଧର୍ମ ଶେଷ ହେବାର ସପ୍ତାହେ ପରେ ଆପଣ ନିଜ ସ୍ତନକୁ ନିଜେ ପରୀକ୍ଷା କରିପାରିବେ । ସ୍ତନରେ କେଉଁ ଜାଗାରେ ଗେଟାଳିଆ କିଛି ବାହାରୁଛି କି କିମ୍ବା ପୂର୍ବରୁ ଯାହା ନଥିଲା ସେମିତି କିଛି ହୋଇଛି କି ଆପଣ ଦେଖିପାରିବେ । ଏହାସହ କାଖରେ ମଧ୍ୟ ଗେଟାଳିଆ ଭଳି କିଛି ବାହାରକୁ ଜଣା ପଡୁଥିଲେ ଆପଣ ଡାକ୍ତରଙ୍କ ପରାମର୍ଶ କରିପାରିବେ । ସ୍ତନର ମାମୋଗ୍ରାମ କରିବା ଦ୍ଵାରା ଆପଣ ଯାନପାରିବେ ସ୍ତନ କର୍କଟ ହୋଇଛି କି ନାହିଁ ।

ମାମୋଗ୍ରାମ ହେଉଛି ସ୍ତନର ଏକପ୍ରକାର ଏକ୍ସ-ରେ । ୪୦ ବର୍ଷରୁ ଉର୍ଦ୍ଧ୍ଵ ମହିଳାଙ୍କ କ୍ଷେତ୍ରରେ ଏହି ମାମୋଗ୍ରାମ କରା ଯାଇଥାଏ । ନଚେତ ଯୁବତୀ ମାନଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ କରା ଯାଇଥାଏ । ଡାକ୍ତର ଏହିସବୁ ଭଲରେ ଯାଞ୍ଚ କରିବା ପରେ ଯଦି ସ୍ତନ କର୍କଟ ହୋଇଛି ତେବେ ଏହା କେଉଁ ଷ୍ଟେଜରେ ଅଛି ତାହା ଦେଖିଥାନ୍ତି । ଏହାପରେ ସର୍ଜରୀ କରିବାକୁ ପରାମର୍ଶ କରିଥାନ୍ତି ।

କିଛି ମହିଳାଙ୍କ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ତନକୁ ଶରୀରରୁ ବାହାରି କରି ଦିଆଯାଏ । ଆଉ କିଛି କ୍ଷେତ୍ରରେ କେବଳ ଟ୍ଯୁମରକୁ ସ୍ତନ ମଧ୍ୟରୁ ବାହାର କରାଯାଏ । ସ୍ତନ କର୍କଟ ପ୍ରାଥମିକ ଅବସ୍ଥାରେ ଥିଲେ ଏଭଳି ସର୍ଜରୀ କରା ଯାଇଥାଏ, ନଚେତ ସ୍ତନକୁ ବାହାର କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ସର୍ଜରୀ ପରେ ଆବଶ୍ୟକ ଅନୁସାରେ କେମୋଥେରାପି ମଧ୍ୟ ଦିଆଯାଏ । କିନ୍ତୁ ଅଧିକ ସ୍ତନ କର୍କଟ ଅଧିକ ମାଡି ଯାଇଥିଲେ ଅପରେସନ କରିବା କଷ୍ଟକର ହୋଇପଡେ ।

ପ୍ରତିଦିନ ବ୍ୟାୟାମ କରିବା, ମୋଟାପଣ କମାଇବା, ଜଙ୍କଫୁଡ୍ ଓ ଚର୍ବିଯୁକ୍ତ ଖାଦ୍ୟ କମ୍ କରିବା ଦ୍ଵାରା ସ୍ତନ କର୍କଟର ସମ୍ଭାବନାକୁ ଏଡାଇ ହେବ । ଏହାସହ ଯଦି ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରିବେ ତେବେ ଯାଇ ସ୍ତନ କର୍କଟର ଭୟାବହତାକୁ ରୋକା ଯାଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।