ବାତ୍ୟା ୟଶ: ଆଜିଠୁ ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ଆରମ୍ଭ, ପାଣିପାଗ ବିଭାଗରୁ ସତର୍କତା ଜାରି

ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା କୁ ନେଇ ଭୁବନେଶ୍ୱରରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ବିଟ୍ ମାଧ୍ୟମରେ ଏକ ବଡ଼ ସୂଚନା ପ୍ରକାଶ କରିଛନ୍ତି ।

ପାଣିପାଗ ବିଭାଗ ଜଣାଇ ଦେଇଛି ଯେ, ଲଘୁଚାପର ପ୍ରଭାବରୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ବାତ୍ୟା ୟଶ କୁ ନେଇ ବିଶେଷଜ୍ଞ ଜାରି କରିଥିବା ନୂଆ ରିପୋର୍ଟ ଅନୁସାରେ କଣ ରହିଛି ସମ୍ପୂର୍ଣ୍ଣ ଖବର । ଆଜି ସୁଦ୍ଧା ଉତ୍ତର ଆଣ୍ଡମାନ ସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର ।

ଏହି ଲଘୁଚାପ ଉତ୍ତର- ପଶ୍ଚିମ ଦିଗକୁ ଗତି କରି ଆସନ୍ତା ମେ ୨୪ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ଧାରଣ କରି ପାରେ । ଏହା ଉତ୍ତର- ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୬ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପ ସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ଆଶଙ୍କା କରା ଯାଉଛି । ତେବେ ଆଜି ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ର ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୫ ତାରିଖରୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଓ ବାତ୍ୟାର ପ୍ରଭାବ ଅନୁସାରେ ବର୍ଷାର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ । ଆରମ୍ଭରୁ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ରହିବ ଏବଂ ତାହା ବଢ଼ି ଘଣ୍ଟା ପ୍ରତି ୪୫ ରୁ ୫୫ କି.ମି. ହୋଇପାରେ । ତେବେ ପବନର ବେଗ କ୍ରମଶଃ ବଢ଼ି ଘଣ୍ଟା ପ୍ରତି ୬୫ ରୁ ୭୫ କି.ମି. ରହିବ ।

କେନ୍ଦ୍ରୀୟ ବଙ୍ଗୋପ ସାଗରର ଅଧିକାଂଶ ଅଞ୍ଚଳରେ ପବନର ବେଗ ଆସନ୍ତା ୨୪ ତାରିଖ ସକାଳୁ ୨୫ ତାରିଖ ଯାଏ ବଢିବ । ତେବେ ଏହି ସମୟରେ ସମୁଦ୍ର ଆସନ୍ତା ୨୬ ତାରିଖ ଯାଏ ଅଶାନ୍ତ ରହିବ । ସେଥି ନିମନ୍ତେ ଆସନ୍ତା ୨୩ ତାରିଖ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଉପକୂଳକୁ ଫେରି ଆସିବା ନିମନ୍ତେ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଏଥି ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରିବା ପାଇଁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଶେଷ ସୂତ୍ରରୁ ଜଣାପଡିଛି ଯେ ଏଥର ଓଡ଼ିଶା ପ୍ରତି ବାତ୍ୟାର ଭୟ ସାମାନ୍ୟ ଅଧିକ ରହିଛି । ଯେପରି ପୂର୍ବରୁ ଅମ୍ପାନ ବାତ୍ୟା ବେଳେ ସତର୍କତା ଜାରି କରାଯାଇଥିଲା ସେହିପରି ଏଥର ବାତ୍ୟା ପାଇଁ ମଧ୍ୟ ଓଡ଼ିଶାକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ପୂର୍ବାନୁମାନ କରା ଯାଉଛି ।