Weather Update: ପୁଣି ଅଶାନ୍ତ ହେବ ବଙ୍ଗୋପସାଗର, ଚଳିତ ସପ୍ତାହରେ ଆସୁଛି ଦୁଇ ଦୁଇଟି ଲଘୁଚାପ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ନଭେମ୍ବରରେ ପୁଣି ଅଶାନ୍ତ ହେବ ବଙ୍ଗୋପସାଗର । ଆଗକୁ ଆହୁରି ଦୁଇଟି ଲଘୁଚାପ ଆସିବାକୁ ଯାଉଛି । ପଛକୁ ପଛ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆମେରିକାର ପାଣିପାଗ ସଂସ୍ଥା “ଆକ୍ୟୁୱେଦର” ର ପାଣିପାଗ ବିଜ୍ଞାନୀ ଜେସନ ନିକୋଲ୍ସ । ଚଳିତ ସପ୍ତାହ ଶେଷ ଭାଗକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସେ ସୂଚନା ଦେଇଛନ୍ତି । ଜେସନ ନିକୋଲ୍ସ କହିଛନ୍ତି ଯେ, ବର୍ତ୍ତମାନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବଙ୍ଗୋପସାଗରରେ ପାଗ ଅନୁକୂଳ ରହିଛି ।

ଏହାପର ସପ୍ତାହ ତଥା ଆସନ୍ତା 15 ତାରିଖରେ ମଧ୍ୟ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ଲଘୁଚାପକୁ ନେଇ ଭାରତୀୟ ପାଣିପାଗ ସଂସ୍ଥା ତରଫରୁ କୌଣସି ତଥ୍ୟ ପ୍ରଦାନ କରା ଯାଇନାହିଁ । ତେବେ ଏନେଇ ପାଣିପାଗ ବିଭାଗ ପୂର୍ବରୁ କହିଥିଲା କି, ନଭେମ୍ବର ମାସରେ ବଙ୍ଗୋପସାଗର ଅଶାନ୍ତ ରହିପାରେ । କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି ।

ଯେଉଁଥି ପାଇଁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଯଦି ଲଘୁଚାପ ହୁଏ ତେବେ ଶ୍ରୀଲଙ୍କା, କେରଳ, ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷା ଲାଗି ରହିବ । ଆସନ୍ତା ନଭେମ୍ବର 8 କିମ୍ବା 9 ତାରିଖ ବେଳକୁ ଲଘୁଚାପର ପ୍ରଭାବ ଅନୁଭୂତ ହେବ । ତା’ପରେ ଲଘୁଚାପଟି କ୍ରମଶଃ ଦୁର୍ବଳ ହୋଇ ପ୍ରତ୍ୟାବର୍ତ୍ତନ କରିବ ।

କିନ୍ତୁ ଏହି ସମୟରେ ବଙ୍ଗୋପସାଗରରେ ଏହା ପୁଣି ଥରେ ଘନୀଭୂତ ହୋଇ ସବଳ ହେବ ଏବଂ ଆଉ ଏକ ଲଘୁଚାପରେ ପରିଣତ ହେବ । ଏହି ସମୟରେ ଲଘୁଚାପ ସୋମାଲିଆ ଏବଂ ଆଫ୍ରିକାର କିଛି ଅଂଶରେ ବର୍ଷା କରେଇବ । ତେଣୁ ଏହି ଲଘୁଚାପଟି ଘନୀଭୂତ ହୋଇ ଆଉ ଏକ ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଛନ୍ତି । ଲଘୁଚାପରେ ପରିଣତ ହେବା ପରେ ଏହା ସମାନ ପଥରେ ଅତିକ୍ରମ କରି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରଭାବ ପକାଇ ପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ଏହାପରେ ମଧ୍ୟ ନଭେମ୍ବର 29 ତାରିଖରୁ ନେଇ ଡିସେମ୍ବର 4 ତାରିଖ ଭିତରେ ମଧ୍ୟ ଏହି ଲଘୁଚାପ କ୍ଷେତ୍ର ରହିବ । ଯାହାଫଳରେ ଡିସେମ୍ବର ପହିଲା ଯାଏଁ ଶୀତର ପ୍ରଭାବ ବହୁତ କମ୍ ହେବ ଆଶଙ୍କା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।