ଖାଲି ଉଦଘାଟନ ପରେ ଉଦଘାଟନ ଚାଲିଛି, ସ୍ଵପ୍ନରେ ହେଉଛି କି ଲିଭର ଟ୍ରାନ୍ସପ୍ଳାଣ୍ଟ ? Pintu Nanda ଙ୍କୁ କାହିଁକି ଯିବାକୁ ପଡିଲା ଦିଲ୍ଲୀ ?

ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ତାଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଦିଲ୍ଲୀ ଯାଇଛନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତଃ ନବକିଶୋର ଦାସ ପୂର୍ବରୁ ଦୁଇ ଦୁଇଥର ଲିଭର ଟ୍ରାନ୍ସପ୍ଳାଣ୍ଟ ବ୍ୟବସ୍ଥା ଉଦଘାଟନ କରିଥିଲେ । ରାଜ୍ୟ ସରକାର 10 ବର୍ଷ ଧରି ଲିଭର ଟ୍ରାନ୍ସପ୍ଳାଣ୍ଟର ସ୍ଵପ୍ନ ଦେଖାଇ ଆସୁଛନ୍ତି । ହେଲେ 22 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଅଚଳ ହୋଇପଡିଛି । ଲିଭର ଟ୍ରାନ୍ସପ୍ଳାଣ୍ଟ ଅସ୍ତ୍ରୋପଚାର ଅତ୍ୟନ୍ତ ବ୍ୟୟବହୁଳ ଅଟେ ।

ଏଥିପାଇଁ ପ୍ରାୟ 30 ରୁ 40 ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏତେ ଟଙ୍କା ଦେଇ ଅପରେସନ କରିବା ଗରିବ ଓ ମଧ୍ୟବିତ୍ତଙ୍କ ମୁସ୍କିଲ ହୋଇପଡୁଛି । ରାଜ୍ୟରେ ଅନେକ ରୋଗୀ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପଞ୍ଜୀକୃତ କରି ସାରିଥିଲେ ମଧ୍ୟ ଟ୍ରାନ୍ସପ୍ଳାଣ୍ଟ ବ୍ୟବସ୍ଥା ଆରମ୍ଭ ହୋଇପାରୁନି । ଏହି ବ୍ୟବସ୍ଥା କେବେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ଓ କେବେ ରାଜ୍ୟବାସୀ ଏହାର ସୁବିଧା ପାଇବେ ଏନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ଖବର ଏବେ ସବୁ ଗଣମାଧ୍ୟମରେ ଶିରୋନାମା ପାଲଟିଛି ।

ଓଡିଶାରେ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ସୁବିଧା ନ ଥିବାରୁ ତାଙ୍କୁ ବାଧ୍ୟ ହୋଇ ଦିଲ୍ଲୀ ଯିବାକୁ ପଡିଛି । କଟକ ଏସସିବି ମେଡିକାଲରେ ଲିଭର ଟ୍ରାନ୍ସପ୍ଳାଣ୍ଟ କାର୍ଯ୍ୟକାରୀ କରିବାକୁ 22 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ସରକାର । ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହାକୁ 2021 ଏବଂ 2022 ରେ ପୁନଃ ଉଦଘାଟନ କରିଥିଲେ । ହେଲେ ଏବେବି ବଡ ମେଡିକାଲରେ 270 ରୁ ଅଧିକ ଯକୃତ ରୋଗୀ ଟ୍ରାନ୍ସପ୍ଳାଣ୍ଟ ପାଇଁ ପଞ୍ଜୀକୃତ କରି ଅପେକ୍ଷା କରି ରହିଛନ୍ତି ।

10 ବର୍ଷ ଧରି ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିଲେ ଏହା ସମ୍ଭବ ହୋଇପାରିନି । ଓଡିଶାରେ ଏହି ସୁବିଧା ଥାଇ ସୁଦ୍ଧା ନଥିଲା ପରି ରହିଛି । ତେଣୁ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ ପରାମର୍ଶ କରିଥିଲେ ଡାକ୍ତର । ଏନେଇ ଅଭିନେତା ଶ୍ରୀତମ କହିଛନ୍ତି କି, ଦିଲ୍ଲୀ, ବମ୍ବେ ଓ ଚେନ୍ନାଇରେ ହାର୍ଟ, ଲିଭର ଓ କିଡନୀ ଟ୍ରାନ୍ସପ୍ଳାଣ୍ଟ କରୁଥିବା ବିଶିଷ୍ଟ ଡାକ୍ତରମାନେ ଓଡିଆ ଅଟନ୍ତି ।

ହେଲେ ସେମାନେ ଏଠାରେ କାର୍ଯ୍ୟ ନକରି ବାହାରକୁ କାହିଁକି ଯାଉଛନ୍ତି ଏନେଇ ପ୍ରଶ୍ନ କରିଛନ୍ତି ଶ୍ରୀତମ । ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଶୀଘ୍ର ବ୍ୟାପକ ଉନ୍ନତି ନ କରାଗଲେ ଆଗକୁ ଏହିପରି ଅନେକ ଲୋକ ଅସୁବିଧାର ସମୁଖୀନ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।