ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ଯୁକ୍ତ ଦୁଇ ଖାତା ଦେଖା ! ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଭୟଙ୍କର ଖେଳ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ, ମୋବାଇଲ୍‌ ଲାଇଟ୍‌ରେ ଚାଲିଛି ବାରିପଦା ଏମପିସି ଅଟୋନୋମସ କଲେଜରେ ଯୁକ୍ତ ୨ ଖାତା ମୂଲ୍ୟାୟନ

ଯୁକ୍ତ୨ ପିଲାଙ୍କ ଖାତା ଦେଖାରେ ଦେଖିବାକୁ ମିଳିଛି ଦାୟିତ୍ୱହୀନତା । ତେବେ ଆଜି ପର୍ଯ୍ୟନ୍ତ ପିଲାଙ୍କ ଭବିଷ୍ୟତ ସହ ଖେଳିଆସୁଛି ଶିକ୍ଷା ବିଭାଗ । ତେବେ ପ୍ରକୃତ ଘଟଣା ହେଲା ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ଓ ବର୍ଷା ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ପଡିଥିଲା । କଲେଜର ଗୋଟିଏ ଭାଗରେ ବିଦ୍ୟୁତର ବିକଳ୍ପ ବ୍ୟବସ୍ଥା ଅଛି । ତେବେ ନିର୍ବାଚନ ପରେ ସେଇ ଭାଗରେ ଇଭିଏମ୍ ମେସିନର ଷ୍ଟ୍ରଙ୍ଗରୁମ୍ ହୋଇଥିବାରୁ ଖାତାଦେଖାରେ ବ୍ୟାଘାତ ସୃଷ୍ଟି ହୋଇଛି । ବାରିପଦା ଏମପିସି ଅଟୋନୋମସ କଲେଜରେ ଦେଖିବାକୁ ମିଳିଛି ଏହି ଦାୟିତ୍ୱହୀନ କାର୍ଯ୍ୟ । ମୋବାଇଲ ଟର୍ଚ୍ଚ ଆଲୁଅରେ ଖାତା ଦେଖୁଛନ୍ତି ମୂଲ୍ୟାଙ୍କନ କରୁଥିବା ଅଧ୍ୟାପକ ।

କେଉଁ ପରିସ୍ଥିତିରେ ଓ କାହିଁକି ଅଧ୍ୟାପକ ମାନେ ଏଭଳି କଲେ ତାହାର ତଦନ୍ତ କରିବା ସହିତ ଯୁକ୍ତ୨ କାଉନସିଲ୍ ସହିତ କାଥା ହୋଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୂଲ୍ୟାଙ୍କନ ଜୋନ ଦାୟିତ୍ୱରେ ଥିବା ଅଧ୍ୟାପକ କାଶୀନାଥ ବେହେରା । ତେବେ ମୋବାଇଲ ଆଲୁଅରେ ଖାତାର ଗୋଟିଏ ଅଂଶ ଦେଖାଯାଉଥିବା ବେଳେ  ଅନ୍ୟ ଅଂଶ ଭଲ ଭାବରେ ଦେଖାଯାଉନାହିଁ । ଏହି ଭଳି ସ୍ଥିତିରେ ଅଧ୍ୟାପକମାନେ କିଭଳି ମୂଲ୍ୟାଙ୍କନ କରୁଥିବେ ତାହା ଭଗବାନଙ୍କୁ ଜଣା ।

ଏହି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦାୟୀ କିଏ?

ତେବେ ଏତେ ସବୁ ହେବା ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଏଠି ପାଇଁ ଦାଇ କିଏ ? ଏହିଭଳି ଅବସ୍ଥାରେ କଥା ଦେଖି ଅଧ୍ୟାପକମାନେ କେମିତି ମୂଲ୍ୟାଙ୍କନ କରୁଥିବେ ଏହା ଆପଣ ମାନେ ଭଲଭାବେ ବୁଝିପାରୁଥିବେ । ଅଧ୍ୟାପକ ମାନଙ୍କ କହିବା ଅନୁସାରେ ଖାତା ଦେଖା କେନ୍ଦ୍ରରେ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ସେମାନେ ନିଜନିଜ ମୋବାଇଲର ଟର୍ଚ୍ଚକୁ ଜଳାଇ ଖାତା ଦେଖିବା ପାଇଁ ବାଧ୍ୟ ଅଟନ୍ତି ବୋଲି ସେମାନେ କହିଛନ୍ତି । ତେବେ ମୋବାଇଲ ଲାଇଟରେ ଖାତାର ମୂଲ୍ୟାଙ୍କନ କିଭଳି କରିଛନ୍ତି ତାହା ଏବେ ସବୁଠି ପ୍ରଶ୍ନବାଚି ସୃଷ୍ଟି କରିଛି ।