ମା ତାରାତାରିଣୀଙ୍କ କାହାଣୀ… କେମିତି ଦୁଇ ଭଉଣୀ ହୋଇଗଲେ “ମା ତାରାତାରିଣୀ”

ତାରାତାରିଣୀ ମନ୍ଦିର, ଓଡିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଦେବୀ ତାରାତାରିଣୀଙ୍କର ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ଶକ୍ତି ପୀଠ ମଧ୍ୟରେ ଏହା ଅନ୍ୟତମ । ଏହି ଶକ୍ତି ପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠର ମହିମା ଯୋଗୁ ଏହା ବହୁତ ପ୍ରସିଦ୍ଧି ଲାଭ କରିଛି । କିମ୍ବଦନ୍ତୀ ଅନୁସାରେ ସତ୍ୟ ଯୁଗରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବଙ୍କୁ ବିବାହ କରିଥିଲେ ।

ଦିନେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞର ଆୟୋଜନ କଲେ । ସମସ୍ତ ଦେବାଦେବୀଙ୍କୁ ଏଠାକୁ ନିମନ୍ତ୍ରଣ କଲେ । ସେ ଶିବଙ୍କୁ ପସନ୍ଦ କରୁ ନଥିବାରୁ ଝିଅ ଜ୍ଵାଇଁଙ୍କୁ ଯଜ୍ଞକୁ ନିମନ୍ତ୍ରଣ କଲେ ନାହିଁ । ଦେବର୍ଷି ନାରଦଙ୍କ ଠାରୁ ପିତାଙ୍କର ବିରାଟ ଯଜ୍ଞର ଆୟୋଜନ କଥା ଶୁଣି ଶିବଙ୍କ ବାରଣ ସତ୍ତ୍ୱେ ସତୀ ଯଜ୍ଞରେ ଉପସ୍ଥିତ ହେଲେ । କିନ୍ତୁ ସେଠାରେ ଦକ୍ଷ ପ୍ରଜାପତି ସତୀଙ୍କୁ ଶିବଙ୍କ ବିଷୟରେ ନାନା କଟୁ କଥା କହିଲେ । ସତୀ ଶିବଙ୍କ ଅପମାନକୁ ସହି ନ ପାରି ଯଜ୍ଞ ଅଗ୍ନିରେ ଝାସ ଦେଲେ ।

ଏହି ଦୁଃସମ୍ବାଦ ପାଇ ଶିବ କ୍ରୋଧାନ୍ଵିତ ହୋଇ ଯଜ୍ଞ ସ୍ଥଳରେ ପହଞ୍ଚି ଦକ୍ଷଙ୍କର ଶିର ଛେଦନ କଲେ ଓ ସତୀଙ୍କର ଦଗ୍ଧ ଶରୀରକୁ କାନ୍ଧରେ ପକାଇ ପାଗଳ ପ୍ରାୟ ଘୁରି ବୁଲିଲେ । ଶିବଙ୍କ ବିନା ସୃଷ୍ଟି ପରିଚାଳନା ଅସମ୍ଭବ ଜାଣି ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ସତୀଙ୍କର ଦଗ୍ଧ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ସତୀଙ୍କ ପିଣ୍ଡ 51 ଟି ସ୍ଥାନରେ ପଡିଥିଲା ଓ ସେଠାରେ 51 ଟି ଶକ୍ତିପୀଠ ସୃଷ୍ଟି ହେଲା । ସତୀଙ୍କର ବକ୍ଷଜ ତାରାତାରିଣୀ ପୀଠରେ ପଡିଥିଲା । ତେଣୁ ସତୀଙ୍କର ବକ୍ଷଜରୁ ତାରାତାରିଣୀ ଭଉଣୀ ସୃଷ୍ଟି ହେଲେ ।

ମା ତାରାତାରିଣୀ ବ୍ରହ୍ମର୍ଷୀ ବୈଶିଷ୍ଟଙ୍କର ଇଷ୍ଟ ଦେବୀ । ଥରେ ବୈଶିଷ୍ଟ ଏକ ଅଭିଲିପ୍ସା ପୂରଣ ପାଇଁ ଦେବୀ ଦ୍ଵୟଙ୍କୁ ଆମନ୍ତ୍ରଣ କଲେ । ହେଲେ ଦେବୀ ଦ୍ୱୟ ଏଥିପ୍ରତି ଉଦାସୀନତା ଦେଖାଇଲେ । ଫଳରେ ବୈଶିଷ୍ଟ ରୁଷ୍ଟ ହୋଇ ଦେବୀ ଦ୍ଵୟଙ୍କୁ ଅପୂଜା ରହିବାକୁ ଅଭିଶାପ ଦେଇଥିଲେ । ଦେବୀ ଦ୍ୱୟ ଅନୁତାପ କରିବାରୁ ବୈଶିଷ୍ଟ ଶାନ୍ତ ହୋଇ କହିଲେ କଳିଯୁଗର ମଧ୍ୟ ଭାଗରେ ଋଷିକୁଲ୍ୟା ନଦୀ କୂଳରେ ମୋର ମାନସ ପୁତ୍ର ପଶୁ ପ୍ରହରାଜଙ୍କ ଘରେ କିଛି ଦିନ ଲାଳିତ ପାଳିତ ହେବା ପରେ ତାରାତାରିଣୀ ପର୍ବତରେ ପୂଜା ପାଇବ । ସେତେଦିନ ପର୍ଯ୍ୟନ୍ତ ମା ଲାକ୍ଷ୍ମୀଙ୍କର ଚକ୍ଷୁକୋଣରେ ରହିବାକୁ ଉପଦେଶ ଦେଲେ ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ମହିରାବଣ ରାମ ଲକ୍ଷ୍ମଣଙ୍କୁ ଅପହରଣ କରି ମା କାଳୀଙ୍କ ପାଖରେ ବଳି ଦେବା କଥା ଶୁଣି ମା ସୀତା କାନ୍ଦିଲେ । ତାଙ୍କ ଦୁଇ ଆଖିରୁ ଝରୁଥିବା ଲୁହରୁ ଅପୂର୍ବ ସୁନ୍ଦରୀ ଦୁଇଟି କନ୍ୟା ଜାତ ହୋଇ ଶ୍ରାପମୁକ୍ତ ହେଲେ । ସୀତା ସେ ଦୁହିଙ୍କୁ ଋଷିକୁଲ୍ୟା ତୀରରେ ତାରାତାରିଣୀ ପର୍ବତର ଚୂଡା ଦେଶରେ ଗୋପନରେ ରହିବାକୁ ନିର୍ଦ୍ଦେଶ ଦେଲେ ଓ କଳିଯୁଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ ।

ଗଞ୍ଜାମ ର ଆଠଗଡ ଅନ୍ତର୍ଗତ କୁମାରୀ ନାମକ ଏକ ଛୋଟ ଗାଁ ରେ ପଶୁ ପ୍ରହରାଜ ନାମକ ଏକ ମହାଜ୍ଞାନୀ ତାନ୍ତ୍ରିକ ରହୁଥିଲେ । ସେ ନିଃସନ୍ତାନ ଥିଲେ । ତେଣୁ ସେ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କଲେ । ଦିନେ ସେହି ଦୁଇ କନ୍ୟା ସମସ୍ତଙ୍କ ଅଜ୍ଞାତରେ ଗୃହତ୍ୟାଗ କଲେ । ପ୍ରହରାଜ ବହୁତ ଖୋଜାଖୋଜି କଲେ ମଧ୍ୟ ନିରାଶ ହେଲେ । କଛି ଦିନ ପରେ ପ୍ରହରାଜଙ୍କୁ ସ୍ଵପ୍ନାଦେଶ ହେଲା ଓ ସେ ଦୁଇ ଭଉଣୀ ତାଙ୍କୁ ସବୁ କଥା କହିଥିଲେ ଓ କହିଲେ କି ସେ ଦୁଇ ଜଣ ପୂର୍ଣ୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି ।

ସମସ୍ତଙ୍କ ଅଜ୍ଞାତରେ ସେ ପୂର୍ଣ୍ଣଗିରି ପର୍ବତରେ ପହଞ୍ଚି ଦେଖିଲେ ସେଠାରେ ସ୍ତନାକୃତି ଦୁଇଟି ଶିଳା ଅବସ୍ଥାନ କରୁଛନ୍ତି । ସେ ମା’ଙ୍କ ମହିମା ଜାଣିବା ପରେ ଦୁଇଟି ବିଗ୍ରହ ସ୍ଥାପନ କରି ତନ୍ତ୍ର ସାଧନା ଦ୍ଵାରା ପ୍ରାଣ ପତିଷ୍ଠା କରାଇଲେ । ଏହା ପରେ ବିଶିଷ୍ଟ କାରିଗରଙ୍କ ଦ୍ଵାରା ମନ୍ଦିର ନିର୍ମାଣ କରାଇଲେ । ତାହା ଏବେ ତାରାତାରିଣୀ ପୀଠ ଭାବରେ ପ୍ରସିଦ୍ଧ ।

ଲେଖାଟି ଭଲ ଲାଗିଏଲ ସେଆର କରିବେ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।