ଶୀତଦିନେ ତ୍ଵଚାର ଯତ୍ନ କେମିତି ନେବେ ? କେଉଁ ସବୁ ଘରୋଇ ଉପଚାର ଦ୍ଵାରା ତ୍ଵଚାକୁ ସୁସ୍ଥ ରଖିପାରିବେ ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ Dr Kishan Agarwal ଙ୍କ ଖାସ୍ ଟିପ୍ସ (Winter Skin Care)

ଅତ୍ୟଧିକ ଥଣ୍ଡା ଯୋଗୁଁ ଶାତଦିନେ ଆସିଲେ ଆମ ତ୍ଵଚା ଶୁଷ୍କ ପଡିବା ଆରମ୍ଭ ହୋଇଯାଏ । ଫଳରେ ତ୍ଵଚା ଶୁଖିବା ଠାରୁ ଆରମ୍ଭ କରି ଗୋଇଠି ଫାଟିବା, ଓଠ ଫାଟିବା, ଦେହହାତ ଧଳା ଦେଖାଯିବା, କୁଣ୍ଡାଇ ହେବା ଆଦି ସମସ୍ଯା ଦେଖା ଦେଇଥାଏ । ଯାହାକୁ ନେଇ ଅନେକ ଲୋକ ଚିନ୍ତାରେ ପଡିଯାନ୍ତି । ତେବେ ଶୀତଦିନେ ତ୍ଵଚାର ଯତ୍ନ କେମିତି ନେବେ ଓ କେଉଁ ସବୁ ଘରୋଇ ଉପଚାର କରିପାରିବେ ଆସନ୍ତୁ ଏନେଇ ଜାଣିବା ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଙ୍କ ଠାରୁ ।

ଶୀତଦିନେ ବାରମ୍ବାର ପରିସ୍ରା ଲାଗିବା ଯୋଗୁଁ ଅନେକ ଲୋକ ପାଣି ପିଇବା କମ୍ କରିଦିଅନ୍ତି । କିନ୍ତୁ ଶୀତଦିନେ ଯଥେଷ୍ଟ ପାଣି ପିଇବା ଆମ ତ୍ଵଚା ପାଇଁ ଲାଭଦାୟକ ହୋଇଥାଏ । ଥଣ୍ଡା ଲାଗିବା ଯୋଗୁଁ ଅନେକ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅଧିକ ଗରମ ପାଣିରେ ଗାଧୋଇବା ଦ୍ଵାରା ଏହା ଆମ ତ୍ଵଚାର ଆର୍ଦ୍ରତାକୁ ନଷ୍ଟ କରିଦିଏ ଓ ତ୍ଵଚା ଅଧିକ ଶୁଷ୍କ ହୋଇଯାଏ ।

ତେଣୁ ଶୀତଦିନେ ନଖ ଉଷୁମ ପାଣି କିମ୍ବା ସାଧା ପାଣିରେ ଗାଧୋଇବାକୁ ଚେଷ୍ଟା କରନ୍ତୁ । ଶୀତଦିନେ ଶରୀରରେ ଅଧିକ କ୍ଷାରଯୁକ୍ତ ସାବୁନ ଲଗାନ୍ତୁ ନାହିଁ ବରଂ ବଡିୱାଶ କିମ୍ବା ମଏଶ୍ଚରଯୁକ୍ତ ସାବୁନ ଦେହରେ ଲଗାନ୍ତୁ । ଅନେକ ଲୋକ ଗାଧୋଇବା ପୂର୍ବରୁ ଶରୀରରେ ତେଲ ଲଗାଇଥାନ୍ତି, କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ।

ସବୁବେଳେ ଗାଧୋଇ ସାରିବା ପରେ ଦେହରେ ତେଲ ଲଗାନ୍ତୁ । ଏଥିପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ । ନଚେତ ଦିନକୁ ଦୁଇଥର କୌଣସି ଭଲ ବଡି କ୍ରିମ ଓ ଲୋସନ ଦେହରେ ଲଗାନ୍ତୁ । ଶୀତ ହେଉଛି କହି ଅନେକ ଲୋକ ଅଧିକ ସମୟ ପର୍ଯ୍ଯନ୍ତ ଖରାରେ ବସି ରୁହନ୍ତି । କିନ୍ତୁ ଏପରି କରିବା ଦ୍ଵାରା ମଧ୍ୟ ଏହାର ପ୍ରଭାବ ଆମ ତ୍ଵଚା ଉପରେ ପଡିଥାଏ । ସକାଳ 6ଟାରୁ 9ଟା ମଧ୍ୟରେ ଆପଣ ଖରାରେ ବସିପାରିବେ କିନ୍ତୁ ଅଧିକ ସମୟ ଖରାରେ ବସନ୍ତୁ ନାହିଁ ।

ପାଦର ଅଧିକ ଶୁଷ୍କ ହୋଇ ଯାଉଥିଲେ ଆପଣ କଟନ୍ ମଉଜା ପାଦରେ ପିନ୍ଧନ୍ତୁ ଏବଂ ଘରେ ଚପଲ ମଧ୍ୟ ପିନ୍ଧିପାରିବେ । ଶୀତଦିନ ହେଲେବି ଆପଣ ଯେତେବେଳେ ମଧ୍ୟ ଖରାରେ ଯାଉଛନ୍ତି ଦେହରେ ସନସ୍କ୍ରିନ ଲୋସନ ନିଶ୍ଚୟ ଲଗାନ୍ତୁ ଏବଂ ସିଧାସଳଖ ସୂର୍ଯ୍ୟକିରଣ ଓ ଧୂଳି ଠାରୁ ମୁହଁକୁ ଘୋଡାଇ ରଖନ୍ତୁ ।

ଶୀତଦିନେ ଓଠ ଶୁଖିବା ସହ ଫାଟିଥାଏ । ତେଣୁ ଓଠରେ ବାରମ୍ବାର ଜିଭ ବା ଛେପ ଲଗାନ୍ତୁ ନାହିଁ କିମ୍ବା ଓଠରୁ ଚୋପା ଛଡାନ୍ତୁ ନାହିଁ । ଓଠକୁ ନରମ ରଖିବା ପାଇଁ ଓଠରେ ପେଟ୍ରୋଲିୟମ ଜେଲି ମିଶ୍ରିତ ଲିପ୍ ବାମ୍ ଦିନକୁ ଅତିକମରେ 5 ରୁ 6 ଥର ଲଗାନ୍ତୁ । ଆପଣ ଚାହିଁଲେ ଗୁଆ ଘିଅ ମଧ୍ୟ ଓଠରେ ଲଗାଇ ପାରିବେ ।

ଶରୀରରେ ଭିଟାମିନ ଅଭାବରୁ ମଧ୍ୟ ତ୍ଵଚା ଓ ଓଠ ଶୁଷ୍କ ପଡିଯାଏ । ତେଣୁ ଶୀତଦିନେ ପ୍ରଚୁର ପାଣି ପିଇବା ସହ ପନିପରିବା ଓ ଫଳମୂଳ ଯଥେଷ୍ଟ ପରିମାଣରେ ଖାଆନ୍ତୁ । ଏହାସହ ଖାଦ୍ଯରେ ଗଜାମୁଗ, ଅଣ୍ଡା ଓ ମାଛ ଆଦି ସାମିଲ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।