ଶୀତ ଦିନେ କେଶର ଯତ୍ନ କିପରି ନେବେ ? ଜାଣନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ Dr Diptiranjani Bisoyi ଙ୍କ ଖାସ୍ ଟିପ୍ସ (Winter Hair Care)

ଆଜିକାଲି କେଶ ଝଡିବା ଏକ ପ୍ରମୁଖ ସମସ୍ଯା ଭାବେ ଦେଖା ଦେଲାଣି । କମ୍ କେଶ ଝଡିବା ଫଳରେ ଅନେକ ଲୋକଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ଖାସ୍ କରି ଶୀତ ଦିନେ ଅତ୍ୟଧିକ କେଶ ଝଡିଥାଏ । ଧୀରେ ଧୀରେ ଶୀତ ମାଡି ଆସୁଛି । ତେଣୁ ଶୀତ ଦିନେ କେଶର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତିରଞ୍ଜନୀ ବିଶୋଇଙ୍କ ଠାରୁ ।

ଶୀତ ଦିନେ ସାଧାରଣତଃ ରୂପୀ ସମସ୍ଯା ଅଧିକ ଦେଖିବାକୁ ମିଳେ । ତେଣୁ ରୂପୀର ଚିକିତ୍ସା କରିବା ନିହାତି ଆବଶ୍ୟକ । ଏଥିପାଇଁ କେଶକୁ ସଫା ରଖିବା ଜରୁରୀ । କେଶରେ ରୂପୀ ଭଲ କରିବା ପାଇଁ ଶାମ୍ପୁ ଏବଂ କଣ୍ଡିସନର ଆଦି ବ୍ୟବହାର କରନ୍ତୁ । କିନ୍ତୁ ଶୀତଦିନେ କେଶରେ ଅଧିକ ତେଲ ଲଗାନ୍ତୁ ନାହିଁ ।

ଶୀତଦିନେ ଆମ ଶରୀର ଭଳି କେଶତ୍ଵଚା (Scalp) ଶୁଷ୍କ ହୁଏନାହିଁ ବରଂ ସେଥିରୁ ତେଲ ବାହାରେ । ତେଣୁ ସ୍କାଲ୍ପକୁ ଛାଡି ଆପଣ କେବଳ କେଶରେ ଅଳ୍ପ ତେଲ ଲଗାନ୍ତୁ । କେଶମୂଳରେ ରୂପୀ ଅଧିକ ହୋଇ କେଶ ଝଡିବା ଆରମ୍ଭ ହୋଇଯାଏ । ତେଣୁ ଅଧିକ ରୂପୀ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଆଣ୍ଟି-ଡାଣ୍ଡରଫ୍ ଶାମ୍ପୁ ବ୍ୟବହାର କରିବା ଉଚିତ ।

ଶୀତଦିନେ ଥଣ୍ଡା ଯୋଗୁଁ ଅନେକ ଲୋକ ନିୟମିତ କେଶ ସଫା କରନ୍ତି ନାହିଁ । କିନ୍ତୁ ଶୀତ ଦିନେ ବହୁତ ଧୂଳି ହୋଇଥାଏ, ତେଣୁ ଆପଣ ସପ୍ତାହକୁ ଦୁଇଥର ଶାମ୍ପୁ କରନ୍ତୁ । ଏହାସହ ଆପଣଙ୍କ ପାନିଆ ମଧ୍ୟ କେଶ ଝଡିବାର ମୁଖ୍ୟ କାରଣ ହୋଇପାରେ । ତେଣୁ ଲାଗି ଲାଗି ଦାନ୍ତ ଥିବା ପାନିଆ ବ୍ୟବହାର ନକରି ଫାଙ୍କା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ।

ତ୍ଵଚା, କେଶ ଓ ନଖର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ଆମ ଜୀବନଶୈଳୀ ଓ ଖାଦ୍ଯଶୈଳୀ ଏହି ଦୁଇଟି ମୁଖ୍ୟ କାରଣ ଯୋଗୁଁ ଦ୍ଵାରା ଏସବୁ ଅନେକ ମାତ୍ରାରେ ପ୍ରଭାବିତ ହୁଅନ୍ତି । ସେଥିପାଇଁ ଆପଣ ଶୀଘ୍ର ଶୋଇବା ସହ ଉଠିବାକୁ ଚେଷ୍ଟା କରନ୍ତୁ ଏବଂ ସନ୍ତୁଳିତ ଖାଦ୍ଯ ନିଜ ଡାଏଟରେ ସାମିଲ କରନ୍ତୁ ।

ଅତ୍ୟଧିକ ତୈଳଯୁକ୍ତ ଖାଦ୍ଯ, ଜଙ୍କଫୁଡ୍, ଫାଷ୍ଟଫୁଡ୍ ଏସବୁରୁ ଦୂରେଇ ରୁହନ୍ତୁ । ଖାଦ୍ଯରେ ଅଧିକରୁ ଅଧିକ ସବୁଜ ପନିପରିବା ଓ ଫଳ ସାମିଲ କରନ୍ତୁ । ଆମ କେଶ ପାଇଁ ଉପଯୁକ୍ତ ମାତ୍ରାରେ ପ୍ରୋଟିନର ଆବଶ୍ୟକ । ତେଣୁ ଉଚ୍ଚ ପ୍ରୋଟିନ ଜାତୀୟ ଖାଦ୍ଯ ଅଣ୍ଡା କେଶର, ସୋୟାବିନ, ସମସ୍ତ ପ୍ରକାର ନଟ୍ସ, ଡାଲିଜାତୀୟ ଖାଦ୍ଯ, ଦହି ଆଦି ନିଜ ଖାଦ୍ଯରେ ସାମିଲ କରନ୍ତୁ ।

ପ୍ରତିଦିନ ଏକ କପ୍ ଡାଲି ଏବଂ ଦହି ଯେମିତି ହେଲେ ଖାଆନ୍ତୁ ଦେଖିବେ ଆପଣଙ୍କ କେଶ ଏକଦମ ଭଲ ରହିବ । ଦିନକୁ ୪-୫ଟି ଚିନାବାଦାମ ଖାଇବା ଦ୍ଵାରା ମଧ୍ୟ ଆମ କେଶ ଓ ତ୍ଵଚା ପାଇଁ ବହୁତ ଉପକାରୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।