ସବୁବେଳେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହୁଛନ୍ତି କି ? ଏହା Health Anxiety ର ଲକ୍ଷଣ ହୋଇପାରେ, ଶୁଣନ୍ତୁ Dr. Suvendu Narayan Mishra ଙ୍କ ଖାସ୍ ଟିପ୍ପଣୀ

ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବା ଏକ ସାଧାରଣ କଥା । କିନ୍ତୁ ସବୁବେଳେ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିବା ଆମର ଦୈନନ୍ଦିନ ଜୀବନରେ ବାଧା ସୃଷ୍ଟି କରିଥାଏ । ଆଉ ସେତେବେଳେ ଏହାକୁ ହେଲଥ ଏନଜାଇଟି ବୋଲି କୁହାଯାଏ । ଏହାକୁ ମେଡିକାଲ ଟର୍ମରେ ହାଇପୋ କଣ୍ଡ୍ରେସିସ ବୋଲି କୁହାଯାଏ । ତେବେ ଏହି ରୋଗ କଣ ଓ ଏହାର ଚିକିତ୍ସା କଣ ରହିଛି ଆସନ୍ତୁ ଜାଣିବା ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ଠାରୁ ।

ହାଇପୋ କନଡ୍ରିୟମ ଶବ୍ଦଟି ବିଲୋ ଦି ରିବ୍ସ ଶବ୍ଦରୁ ଅଣାଯାଇଛି । ଏହାର ଅର୍ଥ ହେଉଛି ପଞ୍ଜରା ତଳେ ଅର୍ଥାତ ପେଟରେ ସବୁବେଳେ କଣ ହେଉଛି ବୋଲି ସନ୍ଦେହ ହେବା, ପେଟ ଜଳିବା କିମ୍ବା କାଟିବା ଭଳି ଅନୁଭବ ହେବା । ତେବେ କେବଳ ପେଟ ନୁହେଁ ବରଂ ଶରୀରର ଯେକୌଣସି ଅଙ୍ଗରେ ମଧ୍ୟ ସାମାନ୍ଯ ବ୍ୟଥା ହେଲା କୌଣସି ବଡ ରୋଗ ହୋଇଛି ବୋଲି ଚିନ୍ତାରେ ପଡିଯିବାକୁ ହାଇପୋ କଣ୍ଡ୍ରେସିସ ବୋଲି କୁହାଯାଏ ।

ଯଦି ବିନା କୌଣସି ମେଡିକାଲ କଣ୍ଡିସନରେ ଏଭଳି ଚିନ୍ତା ୬ ମାସରୁ ଅଧିକ ସମୟ ରହୁଛି ତେବେ ଏହାକୁ ହାଇପୋ କଣ୍ଡ୍ରେସିସ ବା ମେଡିକାଲ ଏନଜାଇଟି ଡିଜଅର୍ଡର ବୋଲି ମଧ୍ୟ ବୋଲି କୁହାଯାଏ । ଆଜକାଲି ଆମ ଦେଶରେ ପ୍ରାୟ ୧୫ ପ୍ରତିଶତ ଲୋକଙ୍କ ଠାରେ ଏହି କଣ୍ଡିସନ ଦେଖିବାକୁ ମିଳୁଛି । ତେବେ ଏନଜାଇଟି ଏବଂ ହେଲଥ ଏନଜାଇଟି ମଧ୍ୟରେ ଫରକ ରହିଛି । ସକାଳୁ ଉଠିବାଠୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଯେକୌଣସି କାର୍ଯ୍ୟରେ ଟେନସନ ହେବା ବା ଛାନିଆ ହେବାକୁ ଏନଜାଇଟି ବୋଲି କୁହାଯାଏ ।

କିନ୍ତୁ ହେଲଥ ଏନଜାଇଟି ଥିବା ବ୍ୟକ୍ତି ସବୁବେଳେ ପେଟରେ କିଛି ହୋଇଛି ବୋଲି କହି ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବ । ବିଭିନ୍ନ ପ୍ରକାରର ଟେଷ୍ଟ କରିବାକୁ କହିବ ଏବଂ ଯେତେ ବୁଝେଇଲେ ମଧ୍ୟ ସେ ବୁଝିବ ନାହିଁ । ତାକୁ ସବୁବେଳେ ଲାଗିବ କି ଡାକ୍ତର କିଛି ଜାଣିପାରୁନି ତେଣୁ ସେ ଅଳ୍ପଦିନରେ ଗୋଟିଏ ଲେଖାଏଁ ଡାକ୍ତର ମଧ୍ୟ ବଦଳାଇବ । ଆଉ ଏବେ ମହାମାରୀ ସମୟରେ ଏହି ସମସ୍ଯା ଲୋକଙ୍କ ଠାରେ ଆହୁରି ଅଧିକ ବଢିଯାଇଛି ।

ସାମାନ୍ଯ ଥଣ୍ଡା ଛିଙ୍କ ହେଲେ ମଧ୍ୟ କୋଭିଡ ହେଲା ଭାବି ଛାନିଆ ହୋଇ ଯାଉଛନ୍ତି । ବାରମ୍ବାର ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବାହାରୁଛନ୍ତି । ଅକ୍ସିମିଟର, ଗ୍ଲୁକୋମିଟର, ବ୍ଲଡ଼ ପ୍ରେସର ମାପିବା ଆଦି ବାରମ୍ବାର କରୁଛନ୍ତି । କଷ୍ଟ ସହିବାର କ୍ଷମତା କମ୍ ହେବା, ଡିପ୍ରେସନ ଓ ଏନଜାଇଟି ଆଦି ଥିଲେ ମଧ୍ୟ ଏହି ସମସ୍ୟା ରୋଗୀ ଠାରେ ଅଧିକ ଦେଖା ଦେଇଥାଏ ।

ବିନା କୌଣସି ଶାରୀରିକ ସମସ୍ଯା ଥାଇ ଯେତେବେଳେ ଏହି ସମସ୍ଯା ରୋଗୀ ଠାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହୁଛି ସେତେବେଳେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବା ଆବଶ୍ୟକ । ଡାକ୍ତର ଏଥିପାଇଁ ରୋଗୀଙ୍କୁ ଷ୍ଟଡି କରି ବିଭିନ୍ନ ଥେରାପି କରେଇଥାନ୍ତି ଓ ଆବଶ୍ୟକ ସ୍ଥଳେ କିଛି ଔଷଧ ମଧ୍ୟ ଦେଇଥାନ୍ତି ।

ପ୍ରତିଦିନ କିଛି ନା କିଛି ଏକ୍ସରସାଇଜ କରନ୍ତୁ, ଗୀତ ଶୁଣନ୍ତୁ, ସକାରାତ୍ମକ ଚିନ୍ତା କରନ୍ତୁ ଦେଖିବେ ଏହିଭଳି ସମସ୍ଯା ଆପଣଙ୍କ ପାଇଁ ଗମ୍ଭୀର ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।