ସାବଧାନ ! ଗାଁ ମୁଣ୍ଡରେ ଫସଲ ଜଗିଛି ଅସୁରୁଣୀ, ଫସଲ ଜଗିବା ପାଇଁ ଅସୁରୁଣୀକୁ ଏହିସବୁ ଖାଇବାକୁ ଦିଆଯାଏ ! ଦେଖନ୍ତୁ video

ଗାଁ ମୁଣ୍ଡ ଗଛତଳେ ବସି ସମସ୍ତଙ୍କ ଫସଲ ଜଗିଛି ଅସୁରୁଣୀ । ଆଉ ଏଥିପାଇଁ ଅସୁରୁଣୀକୁ ଦାନ କରାଯାଉଛି ଫସଲ ଅମଳର ପ୍ରଥମ ଶସ୍ୟ । ଏଭଳି ଏକ ରୋଚକ ପରମ୍ପରା ଦେଖିବାକୁ ମିଳିଛି ଆଦିବାସୀ ସମ୍ପ୍ରଦାୟରେ । ପ୍ରତିବର୍ଷ ଫସଲ ଜଗିବା ପାଇଁ ସେମାନେ ପାଳନ କରିଥାନ୍ତି ଜନାସୁରୁଣୀ ନାମକ ଏହି ପର୍ବ । ଆଦିବାସୀଙ୍କ ଆସ୍ଥା ଓ ଅନନ୍ୟ ପରମ୍ପରା ଅନୁଯାୟୀ ସେମାନଙ୍କ ଫସଲ ଜଗିବା ପାଇଁ ମାଟିରେ ଏକ ଅସୁରୁଣୀ ନିର୍ମିତ କରାହୁଏ ।

ଆଦିବାସୀ ମାନେ ଏହି ପର୍ବକୁ ଅତ୍ୟନ୍ତ ଶ୍ରଦ୍ଧା ଓ ବିଶ୍ବାସର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ଆଦିବାସୀଙ୍କ ଏହି ପର୍ବ ଅନ୍ୟ ସବୁ ପର୍ବ ଠାରୁ ଟିକିଏ ନିଆରା । ମୋଟା ଫସଲ ଅମଳ ଆରମ୍ଭରେ ଏହି ପର୍ବ ପାଳନ କରିବାର ନିୟମ ରହିଛି । ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ଆଦିବାସୀ ମାନଙ୍କ ଦ୍ଵାରା ପାଳିତ ହୋଇଥାଏ ଏହି ଅନନ୍ୟ ପର୍ବ । ଭିନ୍ନ ଧରଣର ପରମ୍ପରା ଓ ସଂସ୍କୃତି ଯୋଗୁଁ ଏହି ଜିଲ୍ଲାର ଆଦିବାସୀଙ୍କ ଜୀବନଶୈଳୀ ଓ ଚର୍ଚ୍ଚାରେ ରହିଥାଏ ।

ଏହି ଜିଲ୍ଲାରେ ବାସ କରୁଥିବା 85 ପ୍ରତିଶତ ଆଦିବାସୀ ଜନଜାତିଙ୍କ ଜୀବନଯାପନ ଶୈଳୀ ସଂପୂର୍ଣ୍ଣ ଭାବେ ବିଶ୍ଵାସ ଡୋରିରେ ବନ୍ଧା । ଏଥିରୁ ଅନ୍ଯତମ ହେଉଛି ଜନାସୁରୁଣୀ ପୂଜା । ଚଇତ ପର୍ବ, ମାଣ୍ଡିଆ ରାଣୀ, ନୂଆଖାଇ, ରାଣୀପର୍ବ, ଜନା ଖାଇ ନାନା ପ୍ରକାର ବିଶ୍ବାସର ପର୍ବ ଏହି ଆଦିବାସୀମାନେ ପାଳନ କରିଥାନ୍ତି ।

ପ୍ରତିବର୍ଷ ଭାଦ୍ରବ ମାସରେ ମକା ଫସଲ ଆରମ୍ଭ ବେଳକୁ ଜନାସୁରୁଣୀ ନାମକ ଏହି ନିଆରା ପର୍ବ ପାଳନ ହୋଇଥାଏ । ଏହି ପର୍ବର ନିୟମ ଅନୁସାରେ ସେମାନେ ମକା ଅମଳର ପ୍ରଥମ ଶସ୍ୟ ଘରକୁ ନନେଇ ଗାଁ ମୁଣ୍ଡ ଗଛତଳେ ଥିବା ଏକ ମାଟିର ଅସୁରୁଣୀକୁ ଖାଇବାକୁ ଦିଆଯାଏ । ଏଠାକାର ଅଧିବାସୀ ଅସୁରୁଣୀ ପାଖରେ ଗାଁରେ ହୋଇଥିବା ଫସଲର ସୁରକ୍ଷା ପାଇଁ ଗୁହାରି କରିଥାନ୍ତି । ଏହାଛଡା ସେମାନେ ଚାଉଳ, ମାଣ୍ଡିଆ, ନଡିଆ ଓ କୁକୁଡା ଆଦି ମଧ୍ୟ ଅସୁରୁଣୀକୁ ଖାଇବାକୁ ଦେଇଥାନ୍ତି ।

ଏହି ପୂଜା ଦ୍ଵାରା ଗ୍ରାମ ଓ ଗ୍ରାମବାସୀ ଉଭୟଙ୍କର ମଙ୍ଗଳ ହୋଇଥାଏ ବୋଲି ସେମାନେ ବିଶ୍ବାସ କରନ୍ତି । ଏଭଳି ଭାବେ ବିଶ୍ବାସର ସହ ଅନେକ ପୂଜାପର୍ବ ମାଧ୍ୟମରେ ସେମାନେ ସରଳ ଜୀବନଯାପନ କରୁଥିବା ଦେଖିବାକୁ ମିଳେ । ଏହି ପୂଜା କରିବା ପରେ ଯାଇ ସେମାନେ ନୂଆ ଖାଇଥାନ୍ତି ।  ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।