ଓଡିଶା ପାଇଁ ଆସିଲା ଖୁସି ଖବର, ଆଜି ହସ୍ପିଟାଲରୁ ଡିଶ୍ଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ

ସାରା ବିଶ୍ବରେ ଏବେ କରୋନା ଭାଇରସ ନିଜ କାୟା ବିସ୍ତାର କରି ଚାଲିଛି । ବଡ ବଡ ବିକଶିତ ଦେଶ ମଧ୍ୟ ଏଥିରୁ ବାଦ ପଡୁ ନାହାଁନ୍ତି । କରୋନା ଏବେ ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଛି । ଏବେ ସାରା ବିଶ୍ବରେ ଏହି ମହାମାରୀରେ ୧୦ ଲକ୍ଷ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଥବା ବେଳେ ୫୩ ହଜାର ରୁ ଅଧିକ ଲୋକ ଏଥିରେ ନିଜ ପ୍ରାଣ ହରାଇ ସାରିଲେଣି । ସେହିପରି ଭାରତରେ ମଧ୍ୟ ଏହା ଦିନକୁ ଦିନ ନିଜର କାୟା ବିସ୍ତାର କରୁଛି । ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୨୫୬୭ ଥିବା ବେଳେ ଓଡିଶାରେ ଏହାର ସଂଖ୍ୟା ୫ ରହିଛି ।

କିନ୍ତୁ ଓଡିଶା ପାଇଁ ଏକ ଖୁସି ଖବର ରହିଛି । ରାଜ୍ୟର ପ୍ରଥମ କାରୋନା ପେସେଣ୍ଟଙ୍କ ସ୍ଵାବ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲ ରୁ ଡିଶ୍ଚାର୍ଜ କରାଯାଇଛି । ସେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଏହା ପୂର୍ବରୁ ବୁଧବାର ଦିନ ରାତିରେ ଦ୍ଵିତୀୟ କରୋନା ପେସେଣ୍ଟଙ୍କୁ ଡିଶ୍ଚାର୍ଜ କରାଯାଇଥିଲା । ଏହା ପରେ ବର୍ତ୍ତମାନ ରାଜ୍ୟରେ ୩ ଜଣ କରୋନା ପେସେଣ୍ଟ ଚିକିତ୍ସାଧୀନ ଅଛନ୍ତି । ଏହାର ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଜରିଆରେ ଲୋକମାନଙ୍କୁ ଦେଇଛନ୍ତି ।

Image Courtesy: newindianexpress

ଏହି ପ୍ରଥମ କରୋନା ପେସେଣ୍ଟ ଇଟାଲୀରୁ ୧୫ ତାରିଖରେ ଫେରିବା ପରେ ତାଙ୍କର ରକ୍ତ ଓ ସ୍ଵାବର ନମୁନା ପରୀକ୍ଷା କରାଯାଇଥିଲା, ଯାହାକି ପଜିଟିଭ ଆସିଥିଲା । ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ୨୦ ଦିନର ଚିକିତ୍ସା ପରେ ତାଙ୍କର ରିପୋର୍ଟ କରୋନା ନେଗେଟିଭ ଆସିଛି, ଯାହା ପରେ ଆଜି ତାଙ୍କୁ ଡିଶ୍ଚାର୍ଜ କରା ଯାଇଛି ।