ପିଲାଙ୍କର କୃମି ଦୋଷ (Deworming) କେମିତି କରିବେ ଦୂର ? ଦେଖନ୍ତୁ Dr. Kanhu Panda ଙ୍କ ଖାସ୍ Tips

ଛୋଟ ପିଲାଙ୍କ ଠାରେ କୃମି ଦୋଷ ଏକ ସାଧାରଣ ସମସ୍ଯା । କୃମି ଦୋଷ ଯୋଗୁଁ ପିଲାକୁ ଭୋକ ଲାଗି ନଥାଏ, ପେଟ କାଟିଥାଏ, ଜ୍ଵର ହେବା ଭଳି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ । ଅନେକ ସମୟରେ ଝାଡା ଦ୍ଵାର କୁଣ୍ଡାଇ ହେବା ହେତୁ ପିଲା ବିରକ୍ତ ହୋଇଥାନ୍ତି ଓ ନିଦ ମଧ୍ୟ ହୋଇ ନଥାଏ । ତେବେ ପିଲାଙ୍କ ଠାରେ କୃମି ହେବାର କାରଣ କଣ ? ଏହାର ଚିକିତ୍ସା କେମିତି କରିବେ ଓ ଏହାକୁ କିପରି ରୋକିବେ ? ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡାଙ୍କ ଠାରୁ ।

ବାହାରେ ଖାଲି ପାଦରେ ଖେଳିବା ବା ଶୌଚ ହେବା, ଅପରିଷ୍କାର ସ୍ଥାନକୁ ବିନା ଚପଲରେ ଯିବା ଦ୍ଵାରା ପିଲାଙ୍କ ଦେହକୁ ଲାଭା ଫର୍ମରେ କୃମି ପ୍ରବେଶ କରିଥାଏ । ଶରୀରକୁ ଯିବା ପରେ ଲାଭାଟି ବଢିଥାଏ ଓ ଅନ୍ତନାଡ଼ିରେ ନିଜ ସଂଖ୍ୟା ମଧ୍ୟ ବୃଦ୍ଧି କରିଥାଏ । ଶିଶୁ ଶରୀରରେ ଏହି କୃମି ବ୍ୟାପିବା ଦ୍ଵାରା ତା’ ଜୀବନରେ ଅନେକ ପ୍ରଭାବ ପକାଇଥାନ୍ତି । କୃମି ସଂଖ୍ୟା ଅଧିକ ହୋଇଗଲେ ସେମାନେ ଶିଶୁର ଦେହରୁ ସବୁ ପୋଷକତତ୍ଵ ହରଣ କରିବାକୁ ଆରମ୍ଭ କରି ଦିଅନ୍ତି ।

ଯାହାଫଳରେ ଯେତେ ଖାଦ୍ଯ ଖାଇଲେ ମଧ୍ୟ ଶିଶୁକୁ ଉପଯୁକ୍ତ ପୋଷକତତ୍ଵ ମିଳିପାରେ ନାହିଁ । ଯାହାଫକରେ ଶିଶୁଟି କୁପୋଷଣ ଓ ରକ୍ତହୀନତା ଆଦିର ଶିକାର ହୁଏ । ଏଥିପାଇଁ ପିଲା ଶ୍ଵେତ ଦେଖା ଯାଇପାରେ, ପେଟରେ ଦରଜ ହୁଏ, ଭୋକ ହୁଅନାହିଁ ଓ ବେଳେ ବେଳେ ପତଳା ଝାଡା ମଧ୍ୟ ହୋଇଥାଏ । ଯାହାଫଳରେ ଶିଶୁଟି ବହୁତ ଅସୁସ୍ଥ ହୋଇପଡେ, କେଉଁଥିରେ ବି ତା’ର ମନ ଲାଗେ ନାହିଁ ଓ ସବୁଠୁ ବଡ କଥା ହେଲା ତା’ର ବିକାଶ ବାଧାପ୍ରାପ୍ତ ହୁଏ ।

ଶିଶୁ ଠାରେ ଏମିତି କିଛି ଲକ୍ଷଣ ଦେଖା ଦେଉଥିଲେ ଜାଣି ନିଅନ୍ତୁ କି ଶିଶୁ ଠାରେ କୃମି ଦୋଷ ଅଛି । କୃମି ଦୋଷ ଥିବା ଶିଶୁଙ୍କ ଚିକତିଶା କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ପ୍ରଥମେ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଅନ୍ତୁ ଓ ତାଙ୍କ ଠାରେ କଣ ସବୁ ଲକ୍ଷଣ ଦେଖା ଦେଉଛି ତାହା କୁହନ୍ତୁ । ଡାକ୍ତର କିଛି ପରୀକ୍ଷା କରିବା ପରେ ଶିଶୁକୁ ଯାହାବି ଔଷଧ ଖାଇବାକୁ ଦେଉଛନ୍ତି ତାହା ନିୟମିତ ଭାବେ ଶିଶୁକୁ ଦେବା ଉଚିତ ।

ଏହି ଔଷଧ ଶିଶୁ ଉଭୟ ଟାବଲେଟ କିମ୍ବା ସିରପ୍ ମାଧ୍ୟମରେ ନେଇପାରିବ । ଆଜିକାଲି ସରକାରୀ ସ୍କୁଲ ମାନଙ୍କରେ ମଧ୍ୟ ଏହି ଔଷଧ ପିଲାଙ୍କ ପାଇଁ ବଣ୍ଟାଯାଉଛି । ତେବେ କୃମି ନହେବା ପାଇଁ ପିଲାଙ୍କୁ ଖାଲି ପାଦରେ ଖେଳିବାକୁ ବାହାରକୁ ଛାଡନ୍ତୁ ନାହିଁ । ଖାଲି ପାଦରେ ବାହାରକୁ ଯିବାକୁ ସେମାନଙ୍କୁ ବାରଣ କରନ୍ତୁ ।

ପିଲା ଖେଳିକରି ଆସିବା ପରେ ତା’ର ହାତ ପାଦକୁ ପରିଷ୍କାର ଭାବେ ଧୋଇ ଦିଅନ୍ତୁ ଓ ପିଲାର ନଖ ମଧ୍ୟ ବଡ ହେବାକୁ ଦିଅନ୍ତୁ ନାହିଁ । ପିଲାଙ୍କୁ ସବୁବେଳେ ଉଷୁମ ପଣି ଓ ଉଷୁମ ଖାଦ୍ଯ ଖାଇବାକୁ ଦିଅନ୍ତୁ ଓ କେବଳ ସୁଷମ ଖାଦ୍ୟ ହିଁ ଖାଇବାକୁ ଦିଅନ୍ତୁ । ପିଲାକୁ ସବୁବେଳେ ସ୍ବଚ୍ଛତା ଶିକ୍ଷା ଦେବା ଦ୍ଵାରା ତାଙ୍କୁ ଆପଣ କୃମି ରୋଗରୁ ରକ୍ଷା କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।