ପିଲା ଜନ୍ମ ପରେ ମା’ କଣ ଖାଇବେ ? କଣ ଖାଇଲେ ପିଲାକୁ ମା’ କ୍ଷୀରରୁ ସୁପୋଷଣ ମିଳିପାରିବ ଓ ମା’ ମଧ୍ୟ ସୁସ୍ଥ ରହିବ ? Dietitian Sushree Tapaswini Das

ପ୍ରସବ ପରେ ମା ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ । ଜଣେ ମା ତା’ ଶରୀରରୁ ଅନେକ କିଛି ହରେଇଥାଏ । ସେଥିପାଇଁ ମା’କୁ ହାଲିଆ ଲାଗିବା, ଥକକା ଲାଗିବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖା ଦେଇଥାଏ । ତେଣୁ ପିଲାକୁ କ୍ଷୀର ଖୁଆଉଥିବା ମା ସବୁବେଳେ ବାଲାନ୍ସ ଡାଏଟ ନେବା ଆବଶ୍ୟକ । ଯାହାଦ୍ୱାରା ମା ଓ ପିଲା ଉଭୟ ପୌଷ୍ଠିକ ଆହାର ପାଇପାରିବେ । ତେବେ ଆସନ୍ତୁ ଜାଣିବା ଡାଏଟିସିଆନ ସୁଶ୍ରୀ ତପସ୍ଵିନୀ ଦାସ ଏନେଇ କଣ ଟିପ୍ସ ଦେଉଛନ୍ତି ।

ମା’ ଠାରୁ ଉତ୍ତମ କ୍ଵାଲିଟି ଏବଂ ପରିମାଣରେ କ୍ଷୀର କ୍ଷରଣ ହେବା ଆବଶ୍ୟକ । ଯାହା ଶିଶୁ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଉତ୍ତମ ପୌଷ୍ଟିକ ଆହାର ସେବନ କରିବା ଦ୍ଵାରା ମା’ ଠାରେ କ୍ୟାଲସିୟମର ଅଭାବ କିମ୍ବା ରକ୍ତର ଅଭାବ ପରି ସମସ୍ଯା ଦେଖା ଦେଇ ନଥାଏ ଓ ପିଲା ପାଇଁ ପ୍ରଚୁର ମାତ୍ରାରେ ଖାଦ୍ଯ ହୋଇଥାଏ । ପ୍ରାୟତଃ ଗରିବ ମହିଳାମାନେ ଯେଉଁମାନଙ୍କ ଆର୍ଥିକ ସ୍ଥିତି ସେତେ ସ୍ବଚ୍ଛଳ ହୋଇ ନଥାଏ ସେମାନେ ଉତ୍ତମ ପୌଷ୍ଟିକ ଆହାର ପାଇବାରେ ସକ୍ଷମ ହୋଇ ନଥାନ୍ତି ।

ତେଣୁ ସେମାନଙ୍କୁ ସରକାରଙ୍କ ଦ୍ଵାରା ଅଙ୍ଗନବାଡିରେ ଯେଉଁ ସବୁ ଆହାର ମିଳୁଛି ସେମାନେ ଖାଇପାରିବେ । ଛତୁଆ, ଅଣ୍ଡା ଭଳି ଖାଦ୍ଯ ନିୟମିତ ଖାଇବା ଦ୍ଵାରା ଉତ୍ତମ ମାତ୍ରାରେ ପ୍ରୋଟିନ ମିଳିଥାଏ । ଏହାଛଡା କିଛି ବାଦାମ ଭଜା, ସୋୟାବଡି ଭଳି କମ ଦାମରେ ମିଳୁଥିବା ପୌଷ୍ଟିକ ଆହାର ଖାଇପାରିବେ । ଆଉ ଯେଉଁମାନଙ୍କ ଆର୍ଥିକ ଅବସ୍ଥା ଖୁବ ଭଲ ରହିଛି ସେମାନେ ମାଛ, ମାଂସ ଆଦିରୁ ପ୍ରଚୁର ମାତ୍ରାରେ ଆଇରନ ଏବଂ ପ୍ରୋଟିନ ପାଇପାରିବେ ।

ଯେପରିକି ଅଣ୍ଡା, ଚୂନା ମାଛ, ବଡ ମାଛ, ଚିକେନ, କ୍ଷୀର ଜାତୀୟ ଖାଦ୍ଯ ଯଥା ମିଠା, ଛେନା, ଦହି କ୍ଷୀର ଏବଂ ବାଦାମ, କିସମିସ ଆଦି ଖାଦ୍ୟ ପ୍ରଚୁର ମାତ୍ରାରେ ଖାଇବା ଉଚିତ । ଆଉ ଭଲ କ୍ୟାଲସିୟମ ପାଇଁ ପ୍ରତିଦିନ ଗୋଟିଏ ଗ୍ଳାସ ଲେଖାଏଁ କ୍ଷୀର ନିହାତି ଭାବେ ପିଇବା ଉଚିତ । ଏହାଛଡା ମାଣ୍ଡିଆ, ରାଶି ଲଡୁ ଆଦି ମଧ୍ୟ ନିହାତି ଖାଆନ୍ତୁ । ଜଣେ ଗର୍ଭବତୀ ମହିଳା ହେଉନ୍ତୁ କି କ୍ଷୀର ଖୁଆଉଥିବା ମା ସକାଳ ୬ଟାରୁ ଖାଇବା ଆରମ୍ଭ କରିଦେବ ଉଚିତ ।

ସକାଳ ୬ଟାରେ ରାତିରୁ ଭିଜା ହୋଇଥିବା କିଛି ବାଦାମ, ଆଲମଣ୍ଡ କିମ୍ବା କିସମିସ, ଖଜୁରୀ ଆଦି ୨-୪ଟି ଲେଖାଏଁ ଖାଇବେ । ଏହାପରେ ୮ଟାରୁ ୮:୩୦ ଭିତରେ ଜଳଖିଆରେ ଚୂଡାରେ ତିଆରି ଖାଦ୍ଯ, ଉପମା, ଇଟିଲି, ଚକୁଳି, ରୁଟି, ପରଟା ଆଦି ସବୁଦିନ ଅଦଳ ବଦଳ କରି କହିଲେ ବାଲାନ୍ସ ଡାଏଟ ମିଳିବ । ସେମିତି ୧୧ଟା ବେଳେ କିଛି ପାନୀୟ ନେବେ । ଲେମ୍ବୁ ପାଣି, ପଇଡ ପାଣି, ଓଆରଏସ, ଗ୍ଳୁକୋଜ, ନହେଲେ ଭାତର ପ୍ରଥମ ଗଳା ହେଉଥିବା ପେଜରେ କିଛି ପରିବା କିମ୍ବା ଦହି ପକାଇ ବଘାରିକି ନେଇପାରିବେ ।

ଛେନାପାଣି, କିମ୍ବା ଛେନା, କଦଳୀ, ନଡିଆ, ଗୁଡ ଆଦିରେ ପଣା ତିଆରି କରି ନେଇପାରିବେ । ସବୁଦିନ ଭେଜ ଖାଇବା ଭଲ ନୁହେଁ କି ସବୁଦିନ ନନଭେଜ ଖାଇବା ବି ଭଲ ନୁହେଁ । ତେଣୁ ଲଞ୍ଚରେ ଭାତ, ଡାଲି, ଦହି ସହ କିଛି ଭେଜ କିମ୍ବା ନନଭେଜ ପ୍ରୋଟିନ ଅଦଳ ବଦଳ କରି ନିଅନ୍ତୁ । ଅଣ୍ଡାକୁ କିନ୍ତୁ ସବୁଦିନ ଖାଇପାରିବେ । ପନିର, ଛୋଲେ, କାବୁଲି ଚଣା, ବେସନ, ମଟର, ସାଲାଡ ଓ ଶାଗ ଆଦି ମଧ୍ୟ ସାମିଲ କରିପାରିବେ । ଏହାସହ ଦିନକୁ ଗୋଟିଏ ଲେମ୍ବୁ ମଧ୍ୟ ଖାଆନ୍ତୁ ।

ଧନିଆ, ପୋଦିନା ଚଟଣି, ଟମାଟୋ ଚଟଣି ଆଦି ମଧ୍ୟ ନେଇପାରିବେ । ୪ଟା ୫ଟା ବେଳକୁ ଛତୁଆ, ଚୂଡା ଖିରୀ, ଶାଗୁ ଖିରୀ, ମୁଢି ଚାଟ, ସିଝା ବୁଟ ଓ ମଟର ଆଦି ହାଲୁକା ଭାବେ ଖାଇବେ । ଆଉ ୮ଟା ବେଳକୁ ଡିନରରେ ରୁଟି, ଭଜା, ସନ୍ତୁଳା ଓ ଟିକେ କ୍ଷୀର ଆଦି ଖାଇବେ । ରାତିରେ ଯେତେ କମ ଖାଇବେ ସେତେ ଭଲ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।