ପରିଣତ ବୟସରେ ଆଶାବାଡି ସାଜିଛନ୍ତି ଦୁଇଟି ମାଙ୍କଡ, ମଣିଷ ଓ ମାଙ୍କଡ ମଧ୍ୟରେ ଏଭଳି ଅନାବିଳ ସମ୍ପର୍କ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ, ଦେଖନ୍ତୁ video

ପରିଣତ ବୟସରେ ସାହାରା ସାଜିଛନ୍ତି ଦୁଇଟି ମାଙ୍କଡ । ମଣିଷ ଓ ପଶୁ ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଅନାବିଳ ପ୍ରେମ । କେହି କାହାରିକୁ ଘଡିଏ ନ ଦେଖିଲେ ରହି ପାରିବେନି । ଆ’ କହିଲେ ପାଖରେ ବସି ଘଷି ହେଉଛି ଆଉ ଖା’ କହିଲେ ଖାଉଛି । ବୃଦ୍ଧ ବ୍ୟକ୍ତିଙ୍କର ପ୍ରତିଟି ଈଷାରାକୁ ବୁଝି ନେଉଛନ୍ତି ଏହି ମାଙ୍କଡମାନେ । ଏହି ବୃଦ୍ଧ ମଉସା ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ସରପଦ ଗ୍ରାମର ଲାଡୁ ତରିଆ । ସ୍ତ୍ରୀ ଚାଲିଯିବା ପରେ ନିଜର କେହି ନଥିବାରୁ ଲାଡୁ ଏଣେତେଣେ ବୁଲୁଥିଲେ ।

ଦିନେ ମୁର୍ମୁଷ ଅବସ୍ଥାରେ ଦୁଇଟି ମାଙ୍କଡ ଛୁଆ ପାଇଥିଲେ । ସେବେଠୁ ଲାଡୁ ମଉସା ତାଙ୍କର ଲାଳନପାଳନ କରୁଛନ୍ତି ଏବଂ ସ୍ନେହରେ ସେମାନଙ୍କୁ ରାମୁ ଓ ଶାନ୍ତି ନାମ ବି ଦେଇଛନ୍ତି । ଲାଡୁ ମଉସାଙ୍କୁ ଛାଡି କୁଆଡେ ବି ଯାଆନ୍ତି ନାହିଁ ଏହି ମାଙ୍କଡ ଦୁଇଟି । ଯଦି କେବେ ଲାଡୁ ମଉସାଙ୍କ ଦେହ ଖରାପ ହୁଏ ତେବେ ପାଖ ପଡିଶାଙ୍କୁ ଡାକି ଆଣି ମଉସାଙ୍କ ଯତ୍ନ ନେବାକୁ ଈଷାରାରେ ଅନୁରୋଧ ମଧ୍ୟ କରନ୍ତି । ସତେ ଯେମିତି ଏହି ମାଙ୍କଡ ହିଁ ବୃଦ୍ଧ ଲାଡୁ ମଉସାଅଙ୍କ ପିଲାଛୁଆ ।

ଲାଡୁ ମଉସାଙ୍କର ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି ରାସନ କାର୍ଡ କିମ୍ବା ଅନ୍ଯାନ୍ଯ କୌଣସି ସୁବିଧା ମଧ୍ୟ ତାଙ୍କୁ ମିଳୁନାହିଁ । ନିଜ ବୋଲି କେହିବି ନଥିବା ବେଳେ ଏହି ମାଙ୍କଡ ଦୁଇଟି ତାଙ୍କର ଆଶାବାଡି ସାଜିଛନ୍ତି । ମାଙ୍କଡ ଦୁଇଟିଙ୍କୁ ଧରି ଘର ଘର ବୁଲି ଭିକ୍ଷା କରି ସେ ନିଜର ପେଟ ପୋଷନ୍ତି ।

ଲୋକମାନେ ମଧ୍ୟ ମାଙ୍କଡଙ୍କ ସହ ବୃଦ୍ଧଙ୍କୁ ଦେଖି ଆଗ୍ରହ କରି କେହି ଚାଉଳ ମୁଠେ ତ ଆଉ କିଏ ପନିପରିବା ଦିଅନ୍ତି । ଆଉ ସେଇଥିରେ ହିଁ ଲାଡୁ ମଉସା ଚଳି ଯାଆନ୍ତି । ତାଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସରକାରଙ୍କୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ଏବଂ ଲାଡୁ ମଉସା ନିଜେ ମଧ୍ୟ ଅନୁରୋଧ କରିଛନ୍ତି ।

ତେବେ ଖବର ପ୍ରଚାରିତ ହେବା ପରେ ସମାଜସେବୀ ଚନ୍ଦ୍ରଶେଖର ରାଉତ ଆସି ଲାଡୁ ମଉସାଙ୍କ ରାସନ କାର୍ଡ ପାଇଁ ଆବେଦନ କରିଥିବା କହିଛନ୍ତି । ଆଜିର ସ୍ଵାର୍ଥପର ଦୁନିଆରେ ଏଭଳି କିଛି ଦୃଶ୍ୟ ସ୍ନେହ ଓ ନିଃସ୍ଵାର୍ଥପର ପ୍ରେମର ବାର୍ତ୍ତା ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।