ନିଆରା ଶିକ୍ଷକଙ୍କ ନିଆରା ପାଠପଢା ! ଦେଖିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ video…

ଜୀବନରେ ସଫଳତାର ସିଡି ଚଢିବାକୁ ହେଲେ ପ୍ରତ୍ଯେକ ଛାତ୍ରଛାତ୍ରୀଙ୍କ ପାଇଁ ସାରଥି ସାଜିଥାନ୍ତି ଶିକ୍ଷକ । ତେଣୁ ସ୍କୁଲ ଶିକ୍ଷା ଜୀବନରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ ସ୍କୁଲର ଶିକ୍ଷକଙ୍କ ବିଷୟରେ କହିବୁ । ସାର୍ ଶ୍ରେଣୀଗୃହକୁ ପ୍ରବେଶ କରିବା ମାତ୍ରେ ପିଲାମାନେ ଛିଡା ହୋଇ ନମସ୍କାର କରୁଛନ୍ତି । ହେଲେ କଳା ଚଷମା ପିନ୍ଧିଥିବା ଏହି ଶିକ୍ଷକଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ହେଉଛନ୍ତି ସଭିଙ୍କ ପ୍ରିୟ ଶ୍ୟାମସୁନ୍ଦର ବିନ୍ଧାଣି ।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପୋଡାଡ଼ିହା ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ନିଜେ ଭଲ କରି ଦେଖି ପାରୁନାହାନ୍ତି କିନ୍ତୁ ପିଲାଙ୍କୁ ଭଲରେ ପାଠ ପଢାଇବାରେ ବେଶ ପାରଙ୍ଗମ । ଶ୍ୟାମସୁନ୍ଦର ସେଠାରେ 2015 ମସିହାରୁ ଶିକ୍ଷକତା କରୁଛନ୍ତି । ଶ୍ୟାମସୁନ୍ଦରଙ୍କ କହିବା ଅନୁଯାୟୀ, ସେ ଜନ୍ମରୁ ଦୃଷ୍ଟିବାଧିତ ନଥିଲେ । 2000 ମସିହାରେ ନିମୋନିଆରେ ପୀଡିତ ହେବା ପରେ ଧୀରେ ଧୀରେ ତାଙ୍କ ଦୃଷ୍ଟିଶକ୍ତି ଚାଲି ଯାଇଥିଲା ।

ସେ ବିଦ୍ୟାଳୟରେ ସାହିତ୍ଯ, ଇତିହାସ ଏବଂ ଭୂଗୋଳ ଆଦି ବିଷୟରେ ପାଠ ପଢାନ୍ତି । ଭଲରେ ଦେଖି ପାରୁନାହାନ୍ତି ବୋଲି ତାଙ୍କ ମନରେ କୌଣସି ପ୍ରକାର ଗ୍ଳାନି ମଧ୍ୟ ନାହିଁ । ବରଂ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି । କୌଣସି ଦିବ୍ୟାଙ୍ଗ ପିଲା ଚାହିଁଲେ ସରକାରଙ୍କ ସ୍କୁଲରେ ପାଠପଢି ନିଜ ଭବିଷ୍ୟତ ନିଜେ ଗଢିପାରିବ ବୋଲି ସେ ପ୍ରେରଣା ଦିଅନ୍ତି ।

ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋବୋଧ ସାହୁ କୁହନ୍ତି କି, ଶ୍ୟାମସୁନ୍ଦର ଦୃଷ୍ଟିବାଧିତ ହେଲେ ମଧ୍ୟ ତାଙ୍କ ପାଢାଇବା ଶୈଳୀ ଏତେ ଉନ୍ନତମାନର ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ସେ ଖାତାପତ୍ର ଦେଖି ପାରନ୍ତି ନାହିଁ ସିନା କିନ୍ତୁ ପିଲାଙ୍କୁ ବେଶ ଭଲଭାବେ ପାଠ ପଢାଇଥାନ୍ତି । ପାଠ ପଢାଇବା ସାଙ୍ଗକୁ ଶ୍ୟାମସୁନ୍ଦର ସାର୍ ସମସ୍ତଙ୍କର ଅତି ଆପଣାର । ବହି ନଦେଖି ବେଶ ପ୍ରାଞ୍ଜଳ ଭାବେ ସେ ସମସ୍ତଙ୍କୁ ପାଠ ପଢାଇ ପାରନ୍ତି । ସାହିତ୍ଯ ସାଙ୍ଗକୁ ଇତିହାସ ଓ ଭୂଗୋଳ ସବୁ ତାଙ୍କର ମୁହେଁ ମୁହେଁ ରହିଛି ।

ନିଜେ ମୋବାଇଲରେ ସବୁ ବିଷୟକୁ ପଢନ୍ତି ଓ ପିଲାଙ୍କୁ ଭଲଭାବେ ପଢାଇବା ସହ ବାରମ୍ବାର ରିଭିଜନ ମଧ୍ୟ କରନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟ ତାଙ୍କୁ ବେଶ ଭଲପାଆନ୍ତି । ଏଭଳି ନିଆରା ଶିକ୍ଷକଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।