କାନ୍ଦିବା ବି ଭଲ, କାନ୍ଦିବା ଦ୍ଵାରା ମିଳିଥାଏ ଏହିସବୁ ଶାରୀରିକ ଓ ମାନସିକ ଫାଇଦା, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମାନସିକ ରୋଗ ବିଶେଷଜ୍ଞ Dr Samrat Kar

ହସିବା, କାନ୍ଦିବା, ରାଗିବା ଏସବୁ ହେଉଛି ମଣିଷର ଗୋଟେ ଗୋଟେ ଭାବନା । ଆମ ଭାବନାକୁ ପରିପ୍ରକାଶ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସାଧାରଣତଃ ହସିବାକୁ ସମସ୍ତେ ପସନ୍ଦ କରିଥାନ୍ତି ଓ ଏହା ଦ୍ଵାରା ମନ ପ୍ରଫୁଲ୍ଲ ରହିଥାଏ । କିନ୍ତୁ ହସିବା ଭଳି ସମୟ ସମୟରେ କାନ୍ଦିବା ମଧ୍ୟ ଜରୁରୀ । ଏହାଦ୍ବାରା ଆମ ମନ ହାଲୁକା ରହିଥାଏ । ତେବେ ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କ ଠାରୁ କିଛି ଖାସ ଟିପ୍ପଣୀ ।

ନ କାନ୍ଦିବା ଦ୍ଵାରା ଆମ ମନ ଉପରେ ଏହାର ପ୍ରଭାବ ପଡିଥାଏ । କିଛି ଲୋକଙ୍କୁ ଜୀବନରେ ଏଭଳି କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଯାହା ସେମାନେ କେବେ କଳ୍ପନା କରି ନଥିବେ । ଦୁଃଖକୁ ସାମ୍ନା କରିବାକୁ କେହି ବି ପ୍ରସ୍ତୁତ ନଥାନ୍ତି । ଏପରି ସମୟରେ କିଛି ଘଟିଗଲେ ଲୋକଙ୍କୁ ଏତେ ଜୋରରେ ସଦମା ପହଞ୍ଚିଥାଏ କି ସେମାନେ କାନ୍ଦିବାକୁ ଭୁଲିଯାନ୍ତି ବା ସେମାନେ କାନ୍ଦି ପାରନ୍ତି ନାହିଁ । ଯେଉଁ ଭାବନାକୁ ଆମେ ପରିପ୍ରକାଶ କରିପାରି ନଥାଉ ତାହା ଆମ ଅଚେତନ ମନରେ ରହିଯାଏ ।

ଆଉ ଏହି ଭାବନା ପେଟ କାଟିବା ଓ ମୁଣ୍ଡ ବିନ୍ଧିବା ଭଳି ରୋଗ ହୋଇ ବାହାରିଥାନ୍ତି । ଏଭଳି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ କୌଣସି ପ୍ରକାର ସମସ୍ଯା ଥିବା ବାହାରି ନଥାଏ । ତଥାପି ଏମାନଙ୍କ ଶରୀରରେ ସମସ୍ଯା ଥିବାର ସେମାନେ ଅନୁଭବ କରନ୍ତି । ମନ ଭିତରେ ଯେତେ ଦୁଃଖ ରହିଥାଏ ତାହା କାନ୍ଦିବା ଦ୍ଵାରା ହାଲୁକା ହୋଇଯାଏ ଓ ଆରାମ ଲାଗେ ।

ଅନେକ ଥର ଦେଖିଥିବେ ଛୋଟପିଲାଟି ପଡିଯିବା ମାତ୍ରେ କାନ୍ଦି ପକାଇଥାଏ । ବାପାମା’ ବି ଜାଣିଶୁଣି ଟିକେ ଡେରିରେ ତା’ ପାଖକୁ ଯାଆନ୍ତି, କାରଣ ସେମାନେ ଜାଣନ୍ତି କି ଟିକେ ସମୟ ପରେ ସେ ଆପେ ଭଲ ହୋଇଯିବ । ଆମ ଶରୀରରେ ଏଣ୍ଡୋସିନ ବୋଲି ଏକ ପେନ୍ ରିଲିଜିଂ ହରମୋନ ଅଛି । ଯାହା କାନ୍ଦିବା ଦ୍ଵାରା ବାହାରିଥାଏ । ତେଣୁ କାନ୍ଦିବା ଦ୍ଵାରା ଆମର ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଉଭୟ ଭଲ ହୋଇଥାଏ ।

ଆଜିକାଲି ପିଲାମାନେ ପରୀକ୍ଷାରେ ଫେଲ ହେଲେ କିମ୍ବା ବ୍ରେକଅପ ହେଲେ ଗୋଟିଏ ରୁମ୍ ରେ ନିଜକୁ ବନ୍ଦ କରି କାନ୍ଦନ୍ତି । କାନ୍ଦିବାର ଅର୍ଥ ଆମ ସହ ଯାହା ହେଇଛି ତାକୁ ଗ୍ରହଣ କରିବା ଏବଂ ଆଗକୁ କଣ କରିବେ ସେନେଇ ପୂର୍ବରୁ ପ୍ରସ୍ତୁତ ହେବା । ତେଣୁ କାନ୍ଦିବା ଦ୍ଵାରା ମନ ହାଲୁକା ଅନୁଭବ ହୁଏ ଓ ଭଲ ନିଦ ମଧ୍ୟ ହୋଇଥାଏ ।

କାନ୍ଦିବା ଦ୍ଵାରା ଆମ ଦୁଃଖ ଶୁଣିବା ଲୋକ ମଧ୍ୟ ଆମ କଥାକୁ ଗୁରୁତର ସହ ନେଇଥାଏ ଓ କେହି ଜଣେ ଆମ ଦୁଃଖ ଶୁଣୁଛି ବୋଲି 50% ମାନସିକ ଚାପ ସେଇଠି ଶେଷ ହୋଇଯାଏ । କାନ୍ଦିବା ଦ୍ଵାରା ଶାରୀରିକ ଲାଭ ମଧ୍ୟ ହୋଇଥାଏ । ଆମ ଆଖି ସଫା ରୁହେ ଓ ଦୃଷ୍ଟିଶକ୍ତି ଭଲ ରହିଥାଏ । କିନ୍ତୁ ଅଧିକ କାନ୍ଦିବା ମଧ୍ୟ ଭଲ ନୁହେଁ । ଯଦି କାନ୍ଦିବା ଆପଣଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ପ୍ରଭାବ ପକାଉଛି ତେବେ ଏହା ମାନସିକ ଅବସାଦର ଲକ୍ଷଣ ହୋଇଥାଇ ପାରେ ।

ତେଣୁ ଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ । ମନର ଭାବନାକୁ ପରିପ୍ରକାଶ କରିଦେବା ଦ୍ଵାରା ମଣିଷ ମାନସିକ ଚାପ ମୁକ୍ତ ରୁହେ ଓ ଏହା ଉଭୟ ଆମ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।