ହାଇ ଆର୍ଲଟରେ ଭାରତୀୟ ନୌସେନା! ବାତ୍ୟା ‘ଫୋନି’ ପାଇଁ – ସମସ୍ତ ପ୍ରକାର ଜରୁରୀକାଳୀନ ସହାୟତା ଯୋଗାଇଦେବାକୁ ପୁରା ପ୍ରସ୍ତୁତ

ଯେମିତିକି ଆପଣ ମାନେ ଜାଣିଥିବେ ଏବେ ରାଜ୍ୟସରକାର ବାତ୍ୟା ଫୋନି ପାଇଁ ସମସ୍ତ ଅଞ୍ଚଳକୁ ସତର୍କ ସୂଚନା ଜାରି କରିଛନ୍ତି । ତେବେ ସାମୁଦ୍ରିକ ବାତ୍ୟା ଫୋନିର ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର ।  ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପୁରା ସଜାଗ ଥିବା ନବୀନ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ କହିଛନ୍ତି, “ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ନେଇ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଉପକୂଳ ଜିଲ୍ଲା ଗୁଡିକ ନିକଟରେ ଏହା ଅତିକ୍ରମ କରୁଥିବାର ସୂଚନା ମିଳିଛି।”

ତେବେ ଏବେ ଏବେ ସୂଚନା ମିଳିଛି ଯେ ପୂର୍ବ ନୌସେନା ସାମୁଦ୍ରିକ ଝଡ ଫନୀ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି । ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି ଏବଂ ଏଥିପାଇଁ ଭାରତ ସରକାର ଓ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ।

ବିଶାଖାପାଟଣା ଏବଂ ଚେନ୍ନାଇଠାରେ ଦୁଇଟି ନୌସେନା ଜାହାଜ ଚିକିତ୍ସା ସହାୟତା ସମେତ ଉଦ୍ଧାର କାର୍ଯ୍ୟ, ରିଲିଫ ଆଦି କାର୍ଯ୍ୟ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଜାହାଜ ମାନଙ୍କରେ ଅତିରିକ୍ତ ବୁଡାଳୀ, ଡାକ୍ତର, ରିଲିଫ ସାମଗ୍ରୀ ମଧ୍ୟରେ ଖାଦ୍ୟ ପଦାର୍ଥ, ତମ୍ବୁ, ଔଷଧ, କମ୍ବଳ ଇତ୍ୟାଦି ପ୍ରଚୁର ପରିମାଣରେ ରହିଛି ।

ନୌସେନାର ବାୟୁଯାନ ତାମିଲନାଡୁର ଆରାକ୍କୋନମଠାରେ ନାଭାଲ ଏୟାର ଷ୍ଟେସନ ରାଜାଲି ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆଇଏନଏସ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଓ ବାୟୁ ମାର୍ଗରୁ ରିଲିଫ ଖାଦ୍ୟ ପକେଇବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି । ଓଡିଶାର ଭାରପ୍ରାପ୍ତ ନୌସେନା ପଦାଧିକାରୀମାନେ ଆବଶ୍ୟକୀୟ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ସଂପୃକ୍ତ ରାଜ୍ୟ ପ୍ରଶାସନ ସହିତ ନିୟମିତ ଭାବେ ଯୋଗାଯୋଗରେ ରହିଛନ୍ତି ।