ହାତଗଣ୍ଠି ବଦଳରେ ପଡିଲା ହାତକଡି, ଭାବି ସ୍ଵାମୀଙ୍କ ସତ ଜାଣିବା ପରେ ଗିରଫ କରି ଏବେ ଚର୍ଚ୍ଚାରେ ମହିଳା ପୋଲିସ

ଆଉ ଦିନ କେଇଟା ପରେ ଯାହା ହାତରେ ହାତଗଣ୍ଠି ପଡିଥାନ୍ତା ତା’ ହାତରେ ହାତକଡି ପିନ୍ଧାଇଲେ ମହିଳା ପୋଲିସ ଏସଆଇ । ଯାହାକୁ ଜୀବନସାଥୀ କରିଥାନ୍ତେ ତାଙ୍କୁ ଜେଲର ହୱା ଖୁଆଇଛନ୍ତି । କାରଣ ବିବାହ ପୂର୍ବରୁ ଯୁବକଙ୍କ ଅସଲ ମୁଖା ଖୋଲି ଯାଇଥିଲା । ଭାବି ସ୍ବାମୀଙ୍କ ବିଷୟରେ ପୁରା କଥା ଜାଣିବା ପରେ ତାଙ୍କୁ ଗିରଫ କରି ଏବେ ଚର୍ଚ୍ଚାରେ ଅଛନ୍ତି ଆସାମର ଲେଡି ଦବଙ୍ଗ ପୋଲିସ ଏସଆଇ ଜୋନାମଣି ରାଭା । ଏହି ବହୁଚର୍ଚ୍ଚିତ ମାମଲା ଆସାମର ଲଗାମ ଜିଲ୍ଲାରୁ ସାମ୍ନାକୁ ଆସିଛି ।

ଲଗାମ ଥାନାର ମହିଳା ପୋଲିସ ସବଇନ୍ସପେକ୍ଟର ଜୋନାମଣି ରାଭା ନିଜ ଭାବିସ୍ଵାମୀ ରାଣା ପୋଦଙ୍କୁ ମିଛ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ଠକେଇ ଓ ବିବାହ କରିବା ପାଇଁ ପ୍ରୟାସ ଅଭିଯୋଗରେ ଗିରଫ କରିଛନ୍ତି । ମିଳିଥିବା ସୂଚନା ମୁତାବକ ପୂର୍ବରୁ ପୂର୍ବରୁ ମାଜୁନିରେ କାର୍ଯ୍ୟରତ ଥିବାବେଳେ ୨୦୨୧ରେ ଜୋନାମଣିଙ୍କ ସହ ରାଣାଙ୍କର ଭେଟ ହୋଇଥିଲା । ସେତେବେଳେ ରାଣା ନିଜକୁ ଓଏନଜେସି ର ପିଆରଓ ଭାବେ ପରିଚୟ ଦେଇଥିଲେ ।

ଆଉ କିଛିଦିନର ମିଳାମିଶା ପରେ ଜୋନାମଣିଙ୍କୁ ବିବାହ କରିବାକୁ ରାଣା ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେତେବେଳେ ରାଣାଙ୍କ ବାବଦରେ ବେଶୀ କିଛି ଜାଣିପାରି ନଥିଲେ ଜୋନାମଣି । ଯେଉଁଥି ପାଇଁ ସେ ରାଣାଙ୍କ ପ୍ରସ୍ତାବ ସ୍ଵୀକାର କରି ନେଇଥିଲେ । ପରେ ଉଭୟଙ୍କ ପରିବାର ପରସ୍ପରକୁ ଭେଟିଥିଲେ ଓ ବିବାହ ନେଇ କଥା ଆଗକୁ ବଢିଥିଲା । ୨୦୨୧ ଅକ୍ଟୋବରରେ ଜୋନାମଣି ଓ ରାଣାଙ୍କ ନିର୍ବନ୍ଧ ହୋଇଥିବା ବେଳେ ୨୦୨୨ ନଭେମ୍ବରରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ସରିଥିଲା ।

ବିବାହକୁ ଆଉ କେଇ ଦିନ ବାକି ଥିବାବେଳେ ରାଣାଙ୍କ କାର୍ଯ୍ୟ ଶୈଳୀକୁ ନେଇ ଜୋନାମଣିଙ୍କର ସନ୍ଦେହ ଉପୁଜୁଥିଲା । ରାଣାଙ୍କ ବାବଦରେ ଅଧିକ ପଚରା ଉଚରା କରିବା ପରେ ତାଙ୍କ ସନ୍ଦେହ ସତ ହୋଇଥିଲା । ଏହାପରେ ରାଣାଙ୍କ ଠକେଇ ସାମ୍ରାଜ୍ୟର ସତ ପଦାକୁ ଆସିଥିଲା । ଓଏନଜେସି ର ପ୍ରୋଜେକ୍ଟ ବାବଦକୁ ତିନିଜନଣଙ୍କୁ ପ୍ରାୟ ୨୫ ଲକ୍ଷର ଚୂନ ଲଗାଇଥିଲା ରାଣା । ଆଉ ସେମାନଙ୍କ ଅଭିଯୋଗ ଆଧାରରେ ଲଗାମ ଥାନାରେ ଏକ ମାମଲା ରୁଜୁ କରି ରାଣାଙ୍କୁ ଗିରଫ କରିଥିଲେ ଜୋନାମଣି ।

ଗିରଫ ସମୟରେ ରାଣାଙ୍କ ଠାରୁ ବିଭିନ୍ନ ବ୍ଯାଙ୍କର ପାସବୁକ, କିଛି କମ୍ପାନୀର ସିଲ୍ ଓ ଏଟିଏମ କାର୍ଡ ଆଦି ଜବତ କରିଥିଲା ପୋଲିସ । ସବୁଠୁ ବଡ କଥା ହେଲା ବଡଲୋକ ଠାଣି ଦେଖାଇବା ପାଇଁ ରାଣା ଏକ ଏସୟୁଭି ଗାଡିକୁ ଭଡାରେ ନେଇଥିବା ବେଳେ ନିଜସ୍ଵ ସୁରକ୍ଷାକର୍ମୀ ଓ ଡ୍ରାଇଭର ମଧ୍ୟ ରଖିଥିଲେ । ଏଭଳି କରି ନିଜକୁ ଉଚ୍ଚ ପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଉଥିଲେ ରାଣା ।

ଯାହାର ପର୍ଦ୍ଦାଫାଶ କରିଛନ୍ତି ଭାବି ସ୍ତ୍ରୀ ତଥା ଏସଆଇ ଜୋନାମଣି । ଠିକ ସମୟରେ ଏହି ଧୂର୍ତ୍ତଙ୍କ ସତ ଜାଣିପାରି ଥିବାରୁ ଜୋନାମଣି ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।