ପୁରୀ: ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ଆଖିର ବ୍ୟାସ ୨୮ କିମି

ପୁରୀ ସମେତ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଏବ ପ୍ରବଳ ବର୍ଷା ଓ ପବନ ଜାରି ରହିଛି ।  ଭୀଷଣ ସାମୁଦ୍ରିକ ବାତ୍ୟା ଫନିର ଲାଣ୍ଡଫଲ ବା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଖବର ହସ୍ତଗତ ହୋଇଛି । ତେବେ ବାତ୍ୟାର ଆଖି ଏବେ ବି ପୁରୀଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ରହିଥିବା ଅନୁମାନ କରାଯାଉଛି ।

ସାମୁଦ୍ରିକ ଝଡ଼ ‘ଫନି’ ଶୁକ୍ରବାର ସକାଳୁ ଉଗ୍ର ରୂପ ଧାରଣ କରିଛି। ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ଏମନେ ହେଉଛନ୍ତି ସମସ୍ତେ ମତ୍ସଜୀବୀ। ପ୍ରଶାସନ ପକ୍ଷରୁ ଗୁରୁବାର ସେମାନଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲେ ବି, କିଛିଟା ଜାଗାରେ ଏହା ବିଫଳ ହୋଇଛି। ଏବେବି ବହୁ ସଂଖ୍ୟରେ ଲୋକ ସ୍ଥାନାନ୍ତର ହୋଇପାରି ନାହାନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ପୁରୀରେ ପବନର ବେଗ ବଢ଼ିଛି। ପୁରୀରେ ଘଣ୍ଟାପ୍ରତି ପବନର ବେଗ ୧୭୫ କିଲୋମିଟର ହାରରେ ବୋହୁଛି। ଗୁରୁବାର ଠାରୁ ଶୁକ୍ରବାର ସକାଳ ୭ଟା ସୁଦ୍ଧା ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଗୋପାଳପୁରରେ ଥିବା ଡପଲର ରାଡାରରେ ଏହି ବାତ୍ୟା ଉପରେ ନଜର ରଖାଯାଇଛି । ପୁରୀରେ ଏବେ ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ପ୍ରବଳ ବର୍ଷା ଲାଗିି ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀ କହିଛନ୍ତି । ପୁରୀ ଓ ଆଖପାଖ ଅଞ୍ଚଳରେ ଅନେକ ଗଛ ଉପୁଡି ପଡ଼ିଥିବା ଜଣାଯାଇଛି । ସମୁଦ୍ରରେ ଅଶାନ୍ତ ରହିଛି । ସେହିପରି ଗୋପାଳପୁରଠାରେ ମଧ୍ୟ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ବେଗରେ ପବନ ବୋହୁଛି ।